ବଜେଟ ୨୦୨୩-୨୪: ସ୍ବାସ୍ଥ୍ୟ ଓ ମନରେଗାରେ ଫଣ୍ଡ କମିବା ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାର ୨୦୨୩-୨୪ ବଜେଟ ସଂସଦରେ ଉପସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୁଷ୍ମାନ ଭାରତ ପାଇଁ ବଜେଟ କମିବା ଏବଂ ମନରେଗା ପାଇଁ ଫଣ୍ଡ କାଟିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ବଜେଟରେ ଅନେକ କିଛି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ମନରେଗା ପାଣ୍ଠି କମାଇବାକୁ ନେଇ ଚିନ୍ତା ଜନକ ବୋଲି ନବୀନ କହିଛନ୍ତି। ଏହା ଗରିବ ଲୋକଙ୍କ ଉପରେ ପ୍ରଭାବ ପକାଇବ। ଖାଦ୍ୟ ସୁରକ୍ଷା ବଜେଟ କମିବା ସହିତ ଫସଲ କିଣିବା ପାଇଁ ବଜେଟ କମାଇବା ଗରିବ ଲୋକଙ୍କ ସହିତ କୃଷକମାନଙ୍କୁ ମଧ୍ୟ ପ୍ରଭାବିତ କରିବ। ୨୦୨୧-୨୨ରେ ପାଖାପାଖି ୮୦ ହଜାର କୋଟି ଟଙ୍କା ଫସଲ କିଣିବାକୁ ଖର୍ଚ୍ଚ ହୋଇଥିବା ବେଳେ ଏହି ବଜେଟରେ ପାଖାପାଖି ୬୦ ହଜାର କୋଟି ଟଙ୍କା ରଖାଯାଇଛି। ଏହା ଫଳରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଫସଲ ବିକ୍ରି କରିବାରେ ଗୁରୁତର ସମସ୍ୟା ସୃଷ୍ଟି ହେବ ବୋଲି ସେ କହିଛନ୍ତି।

୨୦୨୧-୨୨ରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହି ବଜେଟରେ ଏଥିପାଇଁ ମାତ୍ର ୧.୩୭ ଲକ୍ଷ କୋଟି ଟଙ୍କା ରଖାଯାଇଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏଥିସହ ରାଜ୍ୟରେ ବିରୋଧୀ ବିଜେପିକୁ କହିଛନ୍ତି, ଆୟୁଷ୍ମାନ ଭାରତ ପାଇଁ ସମଗ୍ର ଦେଶ ପାଇଁ ୭ ହଜାର ୨ଶହ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ଏବଂ ଓଡ଼ିଶା କେବଳ ଘରୋଇ ସୁବିଧାରେ ବିଏସକେଓ୍ୱାଇ ପାଇଁ ପ୍ରାୟ ୨ ହଜାର ୪ଶହ କୋଟି ଟଙ୍କା ଖର୍ଚ୍ଚ କରୁଛି। ସରକାରୀ ସୁବିଧାକୁ ସାମିଲ କଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ଷକୁ ପାଖାପାଖି ୬ ହଜାର କୋଟି ଟଙ୍କା ମିଳିବ। ସ୍ୱାସ୍ଥ୍ୟ ଆମ ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ଏବଂ ଆମେ ନିବେଶ ଏବଂ ନିଷ୍ଠାପର ପ୍ରୟାସରେ ବିଶ୍ୱାସ କରୁ କହି ବିଜେପିକୁ ଟାର୍ଗେଟ କରିଛନ୍ତି। ଆଗାମୀ ଦିନରେ ଆୟୁଷ୍ମାନ ଭାରତ ଯୋଜନା ନେଇ ଓଡିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରୁ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି।

କେନ୍ଦ୍ର ସରକାର ବଜେଟରେ ପୁଞ୍ଜି ନିବେଶ ବୃଦ୍ଧି, ପାନୀୟ ଜଳ ପଦକ୍ଷେପ, ଏବଂ ଗାଁରେ ଘର ନିର୍ମାଣ ବୃଦ୍ଧି ପଦକ୍ଷେପ ଦ୍ୱାରା ଗ୍ରାମୀଣ କ୍ଷେତ୍ରରେ ସାମାଜିକ ପ୍ରଭାବ ପକାଇବା ସହ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ବଜେଟରେ ପ୍ରଧାନମନ୍ତ୍ରୀ ବାଜରା ଉପରେ ଗୁରୁତ୍ୱାରୋପ କରିଥିବାରୁ ନବୀନ ସ୍ୱାଗତ କରିଛନ୍ତି। ‘ଓଡ଼ିଶା ମିଲେଟ ମିଶନ’ ଦେଶରେ ଏକ ଅଗ୍ରଣୀ ପଦକ୍ଷେପ ଏବଂ ବଜେଟରେ ମିଲେଟକୁ ଗୁରୁତ୍ୱ ଦିଆଯାଇଥିବାରୁ ନବୀନ ଖୁସି ପ୍ରକଟ କରିଛନ୍ତି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଆଦି ନୂଆ ବିଶ୍ୱ ପ୍ରଯୁକ୍ତି ଉପରେ ଧ୍ୟାନ ଦେବା ପ୍ରଶଂସନୀୟ। ଏହା ହେଉଛି ବଜେଟର କିଛି ଭଲ ଦିଗ ବୋଲି ସେ କହିଛନ୍ତି। ସେହିପରି ଆଦିମ ଜନଜାତି ଗୋଷ୍ଠୀଙ୍କ ଉପରେ ଗୁରୁତ୍ୱ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି।

Related Articles

Back to top button