ରାଜ୍ୟର ସମସ୍ତ ମେଡିକାଲରେ କାର୍ଯ୍ୟକ୍ଷମ ହେବ ବାୟୋମେଟ୍ରିକ ଉପସ୍ଥାପନ ବ୍ୟବସ୍ଥା
ଭୁବନେଶ୍ୱର: ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି । ତେବେ ସରକାରଙ୍କ ତରଫରୁ ରାଜ୍ୟର ଡାକ୍ତରଖାନାମାନଙ୍କରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନିଯୁକ୍ତି କରାଯାଉଥିଲେ ହେଁ ଅନେକ ସମୟରେ କିଛି କର୍ମଚାରୀ ଏ କ୍ଷେତ୍ରରେ ମନୋମୁଖୀ କାର୍ଯ୍ୟ କରିଥାନ୍ତି । ତେବେ କର୍ମଚାରୀଙ୍କ ଖାମଖିଆଲି ତଥା ମନୋମୁଖୀ କାର୍ଯ୍ୟ ଆଉ ଚଳିବନି । ଏଣିକି ସମସ୍ତ ମେଡିକାଲ କଲେଜ, ହସ୍ପିଟାଲ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି), ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)ମାନଙ୍କରେ ବାୟୋମେଟ୍ରିକ ଉପସ୍ଥାପନ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ଏହି ସିଷ୍ଟମ ଖୁବଶୀଘ୍ର ଲାଗୁ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ତେବେ ଡାକ୍ତରଖାନାମାନଙ୍କରେ କିଛି କର୍ମଚାରୀ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବେଳେ ଆଉ କିଛି ମନଇଚ୍ଛା କାର୍ଯ୍ୟ କରୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷରୁ ବାୟୋମେଟ୍ରିକ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବ । ଡାକ୍ତର, ନର୍ସଙ୍କ ସହିତ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନେ ଡ୍ୟୁଟିକୁ ଯିବା ଓ ଆସିବା ସମୟରେ ବାୟୋମେଟ୍ରିକ ମେଶିନରେ ଉପସ୍ଥାନ ଦେବେ । ପ୍ରତିମାସରେ ମେଡିକାଲର ମୁଖ୍ୟମାନେ ଉପସ୍ଥାନ ଯାଞ୍ଚ କରିବା ସହ ଉଲ୍ଲଂଘନକାରୀଙ୍କୁ ଚେତାବନୀ ଦେବେ । ତେବେ ଡାକ୍ତରଖାନାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ୨୪ ଘଣ୍ଟିଆ ଉପସ୍ଥାନକୁ ସୁନିଶ୍ଚିତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।