କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆଜି ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ। ସମସ୍ତ ୨୨୪ ଟି ଆସନରେ ମତଦାନ ଜାରି ରହିଛି । ସମୁଦାୟ ୫୮,୫୪୫ ମତଦାନ କେନ୍ଦ୍ରରେ ମୋଟ୍ ୫,୩୧,୩୩,୦୫୪ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ଏହି ଭୋଟରମାନେ ୨,୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
ଭୋଟରଙ୍କ ମଧ୍ୟରେ ୨,୬୭,୨୮,୦୫୩ ଜଣପୁରୁଷ, ୨,୬୪,୦୦,୦୭୪ ଜଣ ମହିଳା ଏବଂ ୪,୯୨୭ ଜଣ ଅନ୍ୟ ପ୍ରାର୍ଥୀ ଅଛନ୍ତି। ପ୍ରାର୍ଥୀଙ୍କ ମଧ୍ୟରେ ୨,୪୩୦ ପୁରୁଷ, ୧୮୪ ମହିଳା ଏବଂ ଜଣେ ପ୍ରାର୍ଥୀ ତୃତୀୟ ଲିଙ୍ଗର ରହିଛନ୍ତି । ରାଜ୍ୟରେ ୧୧,୭୧,୫୫୮ ଯୁବକ ଭୋଟର ଥିବାବେଳେ ୫,୭୧,୨୮୧ ଦିବ୍ୟାଙ୍ଗ ଭୋଟର ଏବଂ ୧୨,୧୫,୯୨୦ ବୟସ ୮୦ ବର୍ଷରୁ ଅଧିକ ବୟସ୍କ ଭୋଟର ରହିଛନ୍ତି ।
ପୂର୍ବତନ ସିଏମ୍ ୟେଦୁରୁପ୍ପା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଭୋଟ୍ ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରୁପ୍ପା ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବୁ ଏବଂ ସରକାର ଗଠନ କରିବୁ, ଏଥିରେ କୌଣସି ସନ୍ଦେହ ନାହିଁ। ଲୋକଙ୍କ ପ୍ରତିକ୍ରିୟା ବହୁତ ଭଲ । ମୁଁ ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି ଯଥାଶୀଘ୍ର ଭୋଟ୍ ଦିଅନ୍ତୁ। ମୁଁ ୧୦୦% ନିଶ୍ଚିତ ଯେ ସେମାନେ ବିଜେପି ସପକ୍ଷରେ ଭୋଟ୍ ଦେବେ, ୭୫-୮୦% ରୁ ଅଧିକ ଲୋକ ବିଜେପିକୁ ସମର୍ଥନ କରିବେ। ଆମେ ୧୩୦-୧୩୫ ଆସନ ଜିତିବୁ।
ମତଦାନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆଗାମୀ ଦିନରେ ବେଙ୍ଗାଲୁରୁର ଭିତ୍ତିଭୂମି ଭଲ ହେବା ଉଚିତ୍। କର୍ଣ୍ଣାଟକର ଶିଳ୍ପ ଆହୁରି ବୃଦ୍ଧି ପାଇବ । ଡବଲ୍ ଇଞ୍ଜିନ୍ ସରକାର ପାଇଁ ମୁଁ ଭୋଟ୍ ଦେଇଛି। କର୍ଣ୍ଣାଟକ ନିର୍ବାଚନ ସମୟରେ ବଜରଙ୍ଗ ଦଳ-ବଜରଙ୍ଗ ବାଲି ବିବାଦକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆମେ ସବୁବେଳେ ହନୁମାନ ଚଲିସା ପାଠ କରୁ ଏବଂ ବଜରଙ୍ଗ ବାଲିଙ୍କୁ ପୂଜା କରିଥାଉ କିନ୍ତୁ ନିର୍ବାଚନ ସମୟରେ କଂଗ୍ରେସ ନିଜ ଘୋଷଣାପତ୍ରରେ ଏଭଳି ଉଲ୍ଲେଖ କରିଛି, ଯାହା ମୂର୍ଖତାର ଉଦାହରଣ ଦେଇଛି । ଭୋଟ୍ ଗଣନା ମେ ୧୩ ରେ ହେବ । ଭୋଟରଙ୍କୁ ଭୋଟ୍ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି।