ବିଦେଶୀ ଅତିଥି ଖାଇବେ ୪୦୦ରୁ ଅଧିକ ଆଇଟମ୍
ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀ ପାଇଁ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ପ୍ରସ୍ତୁତ ଭାରତ ମଣ୍ଡପମରେ ବିଭିନ୍ନ ରାଷ୍ଟ୍ରାଧ୍ୟକ୍ଷଙ୍କ ପାଇଁ ୭୦୦ ସେଫ୍ ଖାଦ୍ୟ ପ୍ରସ୍ତୁତ କରିବେ । ବିଦେଶୀ ଅତିଥିଙ୍କ ପାଇଁ ପାଖାପାଖି ୪୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ ହେବ । ଏହା ଛଡା ଶ୍ରୀ ଅନ୍ନରେ ପ୍ରସ୍ତୁତ ଦେଶୀ ଖାଦ୍ୟ ବିଦେଶୀ ଅତିଥିଙ୍କୁ ପରଷାଯିବ । ସେପଟେ ଦିଲ୍ଲୀ ସରକାର ଜି ୨୦ ସମ୍ମିଳନୀରେ ପରଷା ଯିବାକୁ ଥିବା ଖାଦ୍ୟର ମାନ ଯା଼ଞ୍ଚ ପାଇଁ ଫୁଡ ସେଫ୍ଟୀ ଅଧିକାରୀଙ୍କୁ ମୁତୟନ କରିଛନ୍ତି ।
ଜି ୨୦ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀର ବଡ ପାଞ୍ଚ ତାରକା ହୋଟେଲ ଷ୍ଟାଫ୍ଙ୍କୁ ନିୟୋଜିତ କରାଯାଇଛି । ଏହା ସହ ସମ୍ମିଳନୀର ଭେନ୍ୟୁ ଭାରତ ମଣ୍ଡପମରେ ଅତିଥି ମାନଙ୍କ ପାଇଁ ବ୍ରେକଫାଷ୍ଟ, ମଧ୍ୟାହ୍ନ ଭୋଜନ, ହାଇ ଟି, ଡିନର ଏହି ତାରକା ହୋଟେଲର ସେଫ୍ ପ୍ରସ୍ତୁତ କରିବେ । ଭାରତ ମଣ୍ଡପମ୍ ଭିତରେ ଏକ ଲାଇଭ କିଚେନ୍ର ବ୍ୟବସ୍ଥା କରାଯାଇଛି । ଅତିଥିଙ୍କ ବରାଦ ଅନୁସାରେ ସେଫ୍ ସାଙ୍ଗେସାଙ୍ଗେ ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ପରଷିବେ । ରୂପା ବାସନରେ ଅତିଥିଙ୍କୁ ଖାଦ୍ୟ ପରଷାଯିବ । ଏଥିରେ ଭାରତର ବ୍ୟଞ୍ଜନ ଠୁ ନେଇ ଅନ୍ୟ ଦେଶର ପାରମ୍ପାରିକ ଖାଦ୍ୟ ଉପଲବ୍ଧ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶୀ ଖାଦ୍ୟପେୟକୁ ଅଧିକ ଗୁରୁତ୍ବ ଦେଇ ଆସୁଛନ୍ତି । ଏଣୁ ମିଲେଟରେ ପ୍ରସ୍ତୁତ ସୁଶୀ, ବାଜରା ଗହମର ନୁଜଲ୍ସ ଭଳି ପ୍ରସ୍ତୁତ ଖାଦ୍ୟ ବିଦେଶୀ ଅତିଥିଙ୍କୁ ପରଷାଯିବ । ସେହିପରି ମାଂସାହାରୀ ଅତିଥିଙ୍କ ପାଇଁ ଜାପାନରୁ ଅକ୍ଟୋପସ ଓ ସାଲମନ ମାଛ ମଗାଯାଇଛି ।
ବିଦେଶୀ ରହୁଥିବା ୧୯ଟି ପାଞ୍ଚ ତାରକା ହୋଟେଲରେ ୧୮ ଅଧିକାରୀ ଖାଦ୍ୟ ପଦାର୍ଥର ମାନ ଯାଞ୍ଚ କରିବେ । ସେହିପରି ୨୪ ଘଣ୍ଟା ମଧ୍ୟରେ କଞ୍ଚାମାଲର ଲ୍ୟାବ୍ ରିପୋର୍ଟ ଆସିବା ପରେ କଞ୍ଚା ଖାଦ୍ୟ ସାମଗ୍ରୀକୁ ରୋଷେଇରେ ବ୍ୟବହାର କରାଯିବ । ଲ୍ୟାବ ଟେଷ୍ଟିଂ ବିନା ନା ରୋଷେଇରେ କୌଣସି ସାମଗ୍ରୀ ବ୍ୟବହୃତ ହେବ ନା ରନ୍ଧାଯିବ ।
ଦୁଇ ଦିବସୀୟ ଜି୨୦ ସମ୍ମିଳନୀ ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ । ବିଭିନ୍ନ ଦେଶର ପ୍ରତିନିଧିଙ୍କ ରହିବା ପାଇଁ ୨୩ଟି ପଞ୍ଚତାରକା ହୋଟେଲର ବ୍ୟବସ୍ଥା କରାଯାଇଛି ।