ଅଧିକ ବେରୋଜଗାର ଉଚ୍ଚଶିକ୍ଷିତ
ଅନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ର ସର୍ଭେ ରିପୋର୍ଟ ଅନୁସାରେ ଉଚ୍ଚଶିକ୍ଷିତ ଭାରତୀୟ ମାନଙ୍କ ମଧ୍ୟରେ ରହିଛି ଅଧିକ ବେକାରୀ ସମସ୍ୟା । ଅନୁଷ୍ଠାନିକ କ୍ଷେତ୍ରରେ ଶିକ୍ଷା ପ୍ରାପ୍ତ ଯୁବ ବର୍ଗମାନଙ୍କ ତୁଳନାରେ ଅଣଆନୁଷ୍ଠାନିକ କ୍ଷେତ୍ରରେ ପିଲାମାନେ ଅଧିକ ରୋଜଗାରିଆ ଅଛନ୍ତି । ଏପଟେ ଯିଏ ଯେତେ ଅଧିକ ଶିକ୍ଷିତ ତାକୁ ରୋଜଗାର ପନ୍ଥା ଖୋଜିବାରେ ସେତେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ସ୍ନାତକ ଛାତ୍ର ଛାତ୍ରୀମାନଙ୍କ ବେକାରୀ ସମସ୍ୟା ପ୍ରାୟ ୨୯.୧ ପ୍ରତିଶତ ରହିଛି । ଏହା ଅଣଶିକ୍ଷିତ ଯୁବକ ମାନଙ୍କ ବେକାରୀ ସମସ୍ୟା ଠାରୁ ପ୍ରାୟ ୯ ଗୁଣ ଅଧିକ । ଭାତରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖିଲେ ଭାରତର ଶ୍ରମ ବଜାରରେ ଏ ଅସୁବିଧା ଉଚ୍ଚଶିକ୍ଷିତ ଯୁବ ବର୍ଗଙ୍କ ମଧ୍ୟରେ ସବୁଠାରୁ ଅଧିକ ରହିଛି । ସେପରି ଉଚ୍ଚ ମାଧ୍ୟମିକ କ୍ଷେତ୍ରରେ ସମ୍ପୃକ୍ତ ପିଲାଙ୍କ ରୋଜଗାର ହାର ମାତ୍ର ୧୮.୪ ପ୍ରତିଶତ ରହିଛି ।
ଭାରତୀୟ ଶ୍ରମ ବଜାରରେ ଶିକ୍ଷିତଙ୍କ ସଂଖ୍ୟା କମ ନାହିଁ କିନ୍ତୁ ଅସୁବିଧାର ମୂଳ ହେଇଛି ଆମ ପାରମ୍ପରିକ ଶିକ୍ଷା ବ୍ୟବସ୍ଥା । ଉଚ୍ଚଶିକ୍ଷିତ ହେଲେ ସୁଦ୍ଧା ଏବେ ପିଲାଟି ମାର୍କେଟର ଆବଶ୍ୟକତା ପୁରଣ କରି ପାରୁ ନାହିଁ । ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଦକ୍ଷତା ବୃଦ୍ଧି ତଥା ଧନ୍ଧା ମୂଳକ ଶିକ୍ଷା ଦେବା ପରିବର୍ତେ କେବଳ ବହି ଲେଖା ପାଠକୁ ଗୁରୁତ୍ୱ ଦିଆ ଯାଉଥିବାରୁ ଆଜି ଦେଶର ଯୁବ ବର୍ଗ ଏ ସବୁ ଭୋଗୁଛନ୍ତି ।
ପୂର୍ବତନ ଆରବିଆଇ ଗଭର୍ନର ରଘୁରାମ ରାଜନ ମଧ୍ୟ ଏ ସମସ୍ୟା ନେଇ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ତ୍ରୃଟିପୁର୍ଣ୍ଣ ଭାରତୀୟ ଶିକ୍ଷା ବ୍ୟବସ୍ଥା, ଭାରତୀୟ ଅର୍ଥନୀତିର ବିକାଶ ଉପରେ ଖୁବ ପ୍ରଭାବ ପକାଇବ ।
୧୫ ରୁ ୨୯ ବର୍ଷ ବୟସ୍କ ଭାରତୀୟଙ୍କ ମଧ୍ୟରେ ଯୁବ ବେକାରୀ ସମସ୍ୟା ମୋଟାମୋଟି ଭାବେ ୨୦୦୦ ରେ ୮୮.୬ ଶତକଡାରୁ ୨୦୨୨ରେ ୮୨.୯ ଶତକଡାକୁ ଖସି ଆସିଛି ହେଲେ ଶିକ୍ଷିତ ଯୁବ ବେକାରୀଙ୍କ ସଂଖ୍ୟା ୫୪.୨ ଶତକଡାରୁ ବଢି ୬୫.୭ ଶତକଡାକୁ ପହଂଚିଛି । କାରଣ ଉଚ୍ଚ ଶିକ୍ଷିତଙ୍କ ପାଇଁ ଯୋଗ୍ୟତା ମୁତାବକ ଚାକିରିର ଅଭାବ ରହିଛି । ଭାରତରେ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଦେଖିବାକୁ ଗଲେ ବିଶ୍ୱରେ ଭାରତର ସ୍ଥାନ ମଧ୍ୟ କିଛି ଭଲ ସ୍ଥିତିରେ ନାହିଁ । ଆଇଏଲଓର ରିପୋର୍ଟ ଭାରତର ଭୌଗୋଳିକ ବିଭିନ୍ନତାକୁ ନେଇ ଉଭୟ ସହର ଓ ଗ୍ରାମାଂଚଳରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ବିଭିନ୍ନ ତଥ୍ୟ ସାମ୍ନାକୁ ଆଣିଛି ।