ହରିଦ୍ୱାର ଜେଲରେ ୭୦ କଏଦୀ କରୋନା ପଜିଟିଭ୍, ଆସିନି ଆହୁରି ୩୦୦ ଜଣଙ୍କ ରିପୋର୍ଟ
ହରିଦ୍ୱାର: ହରିଦ୍ୱାର ଜିଲ୍ଲା ଜେଲରେ କରୋନା ବିସ୍ଫୋରଣ । ଜେଲରେ ୭୦ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢିପାରେ । କାରଣ ଏବେବି ଅନେକଙ୍କ ରିପୋର୍ଟ ଆସିପାରିନାହିଁ । ତେବେ ଜେଲରେ ହେପାଟାଇଟସ୍ ଟେଷ୍ଟ ଶିବିର ଲଗାଇବା ବେଳେ କରୋନା ନମୂନା ମଧ୍ୟ ନିଆଯାଇଥିଲା । ଯେଉଁଥିରେ ଅନେକ ଅନ୍ତେବାସୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।
ଜେଲ୍ ଡାକ୍ତର ରାଜେସ ଗୁପ୍ତାଙ୍କ କହିବାନୁସାରେ, ଜିଲ୍ଲା କାରଗାରରେ ୭୦ରୁ ଅଧିକ କଏଦୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଏଦୀଙ୍କ ଡାଏବେଟିସ୍ ଓ ହେପାଟାଇଟସ୍ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କଏଦୀଙ୍କ କରୋନା ଟେଷ୍ଟ୍ କରାଯାଇଥିଲା । ପ୍ରାୟ ୯୩୭ କଏଦୀଙ୍କ ନମୂନା ପରୀକ୍ଷଣ ହୋଇଥିଲା । ୫୦୦ରୁ ଅଧକ କଏଦୀଙ୍କ ରିପୋର୍ଟ ଆସିଯାଇଛି । ଏଥିରୁ ୭୦ କଏଦୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆହୁରି ୩୦୦ କଏଦୀଙ୍କ ରିପୋର୍ଟ ଏବେବି ଆସିନାହିଁ । ଫଳରେ ପଜିଟିଭ୍ ସଂଖ୍ୟା ଆହୁରି ବଢିପାରେ ।
ରିପୋର୍ଟ ଅନୁସାରେ, ଯେଉଁ କଏଦୀଙ୍କ ନମୂନା ପରୀକ୍ଷଣ କରାଯାଇଥିଲା ସେମାନଙ୍କର କୌଣସି ଲକ୍ଷଣ ନାହିଁ । ତେବେ ଏତେସଂଖ୍ୟକ ପଜିଟିଊ୍ ବାହାରିବା ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ସମସ୍ତ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜେଲ୍ ଅଧୀକ୍ଷକ ମନୋଜ ଆର୍ଯ୍ୟ କହିଛନ୍ତି ଯେ, ଜୁଲାଇ ୨୮ ତାରିଖରେ ବିନା ଅନୁମତିରେ ନମୂନା ସଂଗ୍ରହ କରାଯାଇଥିଲା । ପ୍ରଥମେ ଜେଲ୍ ପ୍ରଶାସନକୁ ସୂଚନା ଦେବା ଉଚିତ ଥିଲା । ଅନେକ କଏଦୀଙ୍କ ଆଇସୋଲେସନ ଅବଧି ପୂରଣ ହୋଇଛି । ଆଉ କିଛିଙ୍କୁ ଆଇସୋଲେସନରେ ରଖାଯାଇଥିବା ସେ କହିଛନ୍ତି ।