‘ଟ୍ୱିନ୍ ଟାଓ୍ୱାର ଭାଙ୍ଗିବା ଦ୍ୱାରା ୫୦୦ କୋଟି ଟଙ୍କା କ୍ଷତି ହେଲା’ : ସୁପରଟେକ୍‌ର ଚେୟାରମ୍ୟାନ୍ ଆରକେ ଆରୋରା

ନୋଏଡା: ମାଟିରେ ମିଶିଛି  ନୋଏଡାରେ ସୁପରଟେକ୍ ଟ୍ଵିନ୍ ଟାଓ୍ଵାର । ଟ୍ଵିନ୍ ଟାଓ୍ଵାରର ନିର୍ମାଣ ସମୟରେ ନିୟମର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ସମୟ ଧରି ଆଇନଗତ ପ୍ରକ୍ରିୟା ପରେ ଶେଷରେ ଅଗଷ୍ଟ ୨୮ରେ ଟ୍ଵିନ୍ ଟାଓ୍ଵାରକୁ ବିସ୍ଫୋରକ ଜରିଆରେ ମାଟିରେ ମିଶାଇ ଦିଆଯାଇଥିଲା। ଏହା ଉପରେ ଏବେ ସୁପରଟେକ୍‌ର ଚେୟାରମ୍ୟାନ ଆରକେ ଆରୋରାଙ୍କ ପ୍ରତିକ୍ରିୟା ଆସିଛି।

ସେ କହିଛନ୍ତି ଯେ, ଏମରଲ୍ଡ କୋର୍ଟରେ ଟ୍ଵିନ୍ ଟାଓ୍ଵାରର ନିର୍ମାଣ ସମୟରେ କୌଣସି ପ୍ରକାର ନିୟମର ଉଲ୍ଲଂଘନ ହୋଇନଥିଲା। ଏମରଲ୍ଡ କୋର୍ଟର ନିଷ୍ପତ୍ତି କ୍ରମେ ହିଁ ଟାଓ୍ଵାର ନିର୍ମାଣ କାମ ଜାରି ରହିଥିଲା। ମାତ୍ର ଏହାର ଉଚ୍ଚତା ୪୦ ମହଲା ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନିଷ୍ପତ୍ତି  ପରେ ନିଆଯାଇଥିଲା। ତେବେ ଏହା ମାଟିରେ ମିଶିବା ଦ୍ୱାରା ପ୍ରାୟ ୫୦୦ କୋଟି ଟଙ୍କା କ୍ଷତି ହୋଇଥିବା ସେ କହିଛନ୍ତି ।

ସେ କହିଛନ୍ତି ଯେ, ଏହି ୧୦୦ ମହଲା ବିଶିଷ୍ଟ ଟାଓ୍ୱାର ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏପରିକି ସେ ୧୨ ପ୍ରତିଶତ ସୁଦ୍ଧରେ ଲୋନ୍ ମଧ୍ୟ ବ୍ୟାଙ୍କରୁ ଆଣିଥିଲେ । ଏବେ ଏହାର ବଜାର ଦର ୭୦୦ କୋଟିରୁ ଅଧିକ ହେବ । ସେ କୌଣସି ନିୟମ ଭାଙ୍ଗିନଥିଲେ। ସୁପ୍ରିମକୋର୍ଟ ଟାଓ୍ଵାର ଭାଙ୍ଗିବାର ଆଦେଶ ଏଥିପାଇଁ ଦେଇଥିଲେ କାରଣ ଟ୍ଵିନ୍ ଟାଓ୍ଵାରର ଉଚ୍ଚତା ବଢାଇବା ପୂର୍ବରୁ ସେଠାରେ ଥିବା ୧୫ ଟାଓ୍ଵାରର ଲୋକଙ୍କ ଅନୁମତି ନିଆଯାଇନଥିଲା। ଆରୋରା ଏହା ଉପରେ ମଧ୍ୟ ନିଜର ସଫେଇ ଦେଇଛନ୍ତି। ସେ କହିଛନ୍ତି ଅନୁମତି ନେବାର କାମ ପ୍ରଶାସନର ଥିଲା। ଯାହାର ନିୟମ ୨୦୧୪ରେ ଲାଗୁ କରାଯାଇଥିଲା।

ତେବେ ରବିବାର ଯେବେ ଟ୍ଵିନ୍ ଟାଓ୍ଵାର ଭଙ୍ଗାଗଲା କଣ ଆରକେ ଆରୋରା ଏହି ଦୃଶ୍ୟ ଦେଖୁଥିଲେ ? ଏହି ପ୍ରଶ୍ନର ଉତ୍ତରରେ ସୁପରଟେକର ଚେୟାରମ୍ୟାନ କହିଛନ୍ତି, ଯେଉଁ ଦିନ ଟ୍ଵିନ୍ ଟାଓ୍ଵାର ଭଙ୍ଗାଯିବାର ଥିଲା, ତାର ପୂର୍ବ ରାତି ନିଦ ଆସିନଥିଲା। ମୋତେ ଏହି ଚିନ୍ତା ଘାରୁଥିଲା ଯେ, ଟାଓ୍ଵାର ଭଙ୍ଗାଯିବା ସମୟରେ ଯେମିତି ଅନ୍ୟ କୋଠାକୁ କ୍ଷତି ନପହଞ୍ଚୁ। ଏଥିପାଇଁ ଆମେ ବିଲ୍ଡିଂ ଭାଙ୍ଗୁଥିବା ସବୁଠୁ ଉନ୍ନତ ଏକ୍ସପର୍ଟ କମ୍ପାନୀକୁ ଦାୟିତ୍ଵ ଦେଇଥିଲୁ।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷର ଅପେକ୍ଷା ପରେ ଅଗଷ୍ଟ ୨୮ ରବିବାର ୨ଟା ୩୦ରେ ଟ୍ଵିନ୍ ଟାଓ୍ଵାରରେ ବିସ୍ଫୋରଣ କରାଯାଇଥିଲା। ଏଥିସହିତ ୧୦୩ ମିଟର ଏବଂ ୯୪ ମିଟରର ଦୁଇ ଟାଓ୍ଵାର ମାଟିରେ ମିଶିଗଲା। ଏହି  ସମୟରେ ପାହାଡର ଆକୃତିର ଧୂଳି ଉଠିବା ସହ ଆଖପାଖର ଉଚ୍ଚ ଅଟ୍ଟାଳିକାକୁ ଢାଙ୍କି ଦେଇଥିଲା। ଏହି ଧୂଳିକୁ କମ କରିବା ପାଇଁ ନୋଏଡା ପ୍ରଶାସନ ବିଶେଷ ବ୍ୟବସ୍ଥା କରିଥିଲା। ପ୍ରାୟ ୧୦୦ ଓ୍ଵାଟର ଟ୍ୟାଙ୍କର ଏବଂ ୩୦୦ ସଫେଇ କର୍ମଚାରୀ ଧୂଳିର ଆସ୍ତରଣକୁ ନିୟନ୍ତ୍ରଣ କରିଥିଲେ।ଏହା ପରେ ଯାଇ ଲୋକେ ଶାନ୍ତିରେ ନିଃଶ୍ଵାସ  ନେଇଥିଲେ।

Related Articles

Back to top button