ଶିଖଙ୍କ ପଗଡି ସହ ହିଜାବକୁ ତୁଳନା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଲେ

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟରେ କର୍ଣ୍ଣାଟକ ସ୍କୁଲରେ ହିଜାବ ପରିଧାନ ମାମଲା ଏବେବି ବିଚାରାଧିନ ରହିଛି । ଗୁରୁବାର ଏହି ପ୍ରସଙ୍ଗରେ କୋର୍ଟରେ ଶୁଣାଣି ହୋଇଥିଲା । ଏଥିରେ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ଶିଖଙ୍କ ପଗଡି ଓ କୃପାଣ ସହ ହିଜାବକୁ ତୁଳନା କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ । କାରଣ ପଗଡି ପିନ୍ଧିବାକୁ ଅନୁମତି ରହିଛି ବୋଲି କୋର୍ଟ ଶୁଣାଣି ବେଳେ କହିଥିଲେ।

ନ୍ୟାୟମୂର୍ତ୍ତି ହେମନ୍ତ ଗୁପ୍ତା ଓ ନ୍ୟାୟମୂର୍ତ୍ତି ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଦାଖଲ ମାମଲାର ଶୁଣାଣି କରୁଥିଲେ । ଯେଉଁଥିରେ ହିଜାବ ପିନ୍ଧିବାକୁ ଅନୁମତି ନଦେବା ମାମଲା ରହିଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିଜାମୁଦ୍ଦୀନ ପାଶା କହିଥିଲେ ଯେ,  ହିଜାବ ମୁସଲିମ ଯୁବତୀଙ୍କ ଧାର୍ମିକ ପ୍ରଥାର ଅଂଶ ବିଶେଷ । ତେଣୁ ସେମାନଙ୍କୁ ହିଜାବ ପିନ୍ଧି ସ୍କୁଲ ଆସିବା ନେଇ ରୋକାଯାଇପାରିବନି ବୋଲି କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଶିଖ ଛାତ୍ର ପଗଡି ପିନ୍ଧିଥାନ୍ତି । ସାଂସ୍କୃତିକ ପ୍ରଥାର ସୁରକ୍ଷା ଜରୁରୀ । ଏହା ଶୁଣିବା ପରେ ନ୍ୟାୟମୂର୍ତ୍ତି ହେମନ୍ତ ଗୁପ୍ତା କହିଥିଲେ ଯେ, ହିଜାବ ପିନ୍ଧିବାର ତୁଳନା ପଗଡି ସହ କରାଯାଇ ପାରିବ ନାହିଁ । ଶିଖ ମାନଙ୍କୁ କୃପାଣ ପରିଧାନ ନେଇ ସମ୍ବିଧାନରେ ଉଲ୍ଲେଖ ରହିଛି । ତେଣୁ ଦୁଇଟି ପ୍ରଥାକୁ ତୁଳନା କରାଯାଇ ପାରିବ ନାହିଁ । ଭାରତ ପାଇଁ ଫ୍ରାନ୍ସ କିମ୍ବା ଅଷ୍ଟ୍ରିଆର ଉଦାହରଣ ଚଳିବ ନାହିଁ । ଆମେ ଭାରତୀୟ ଓ ଭାରତୀୟ ହୋଇ ରହିବାକୁ ସମସ୍ତେ ଚାହିଁଥାନ୍ତି ।

ଏହାପରେ ପାଶା କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି କହିଥିଲେ ଯେ, ହିଜାବ ମୁସଲିମ ମହିଳାଙ୍କୁ ସୁରକ୍ଷା ଦେଇଥାଏ । ସେ ନିଜ ବିତର୍କକୁ ବଳଶାଳୀ କରିବା ପାଇଁ ଅନେକ ଧାର୍ମିକ ଗ୍ରନ୍ଥର ଉଦାହରଣ ଦେଇଥିଲେ । ଆଉ ଜଣେ ଆବେଦନକାରୀଙ୍କ ପକ୍ଷ ରଖୁଥିବା ଆଇନଜୀବୀ କୋର୍ଟଙ୍କୁ କେରଳ, କର୍ଣ୍ଣାଟକ ଓ ମାଦ୍ରାସ ହାଇକୋର୍ଟଙ୍କ ରାୟରୁ ଅଲଗା ଅଲଗା ଭାବେ ବବିଚାର କରିବାକୁ କହିଥିଲେ । ମାଦ୍ରାସ ଓ କେରଳ ହାଇକୋର୍ଟ ହିଜାବକୁ ଏକ ଆବଶ୍ୟକୀୟ ଧାର୍ମିକ ପ୍ରଥା ବୋଲି ମାନିଛନ୍ତି । କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ ଏହାକୁ ନେଇ ଭିନ୍ନ ରାୟ ଦେଇଥିବା ସେ କହିଥିଲେ ।

Related Articles

Back to top button