୧୦ କୋଟି ଟଙ୍କାରୁ କମ୍ ମୂଲ୍ୟର ସମ୍ପତ୍ତି ବିକ୍ରି କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ: ଦେଶର ଦୁଇ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ପାଖରେ ଥିବା ୧୦ କୋଟି ଟଙ୍କାରୁ କମ୍ ମୂଲ୍ୟର ସମ୍ପତ୍ତି ବିକ୍ରି କରିବା ଲାଗି ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ସେଭଳି ସମ୍ପତ୍ତିର ତାଲିକା ପ୍ରସ୍ତୁତ କରି ଜଣାଇବାକୁ ବିଏସ୍‌ଏନ୍‌ଏଲ୍‌ର ମୁଖ୍ୟ ମହାପ୍ରବନ୍ଧକମାନଙ୍କୁ କୁହାଯାଇଛି। ସେଥିପାଇଁ ସେମାନଙ୍କୁ ତିନି ମାସ ସମୟ ଦିଆଯାଇଛି। ପ୍ରାୟ ୫୦ କୋଟି ଟଙ୍କାର ସମ୍ପତ୍ତି ଲାଗି ବିଏସ୍‌ଏନଏଲ୍‌ ବୋର୍ଡ ପକ୍ଷରୁ ଫେବ୍ରୁଆରିରେ କାରବାର ଉପଦେଷ୍ଟା ନିଯୁକ୍ତ କରାଯାଇଥିଲା। ଆହୁରି ଅଧିକ ଛୋଟ ଛୋଟ ସମ୍ପତ୍ତିକୁ ଚିହ୍ନଟ କରିବା ଲାଗି କମ୍ପାନୀକୁ କୁହାଯାଇଛି। ୨୦୧୯ରେ ବିଏସ୍‌ଏନଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର ପୁନରୁଦ୍ଧାର ଲାଗି ସରକାର ୬୯,୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ସମ୍ପତ୍ତି ବିକ୍ରି ସେହି ପ୍ୟାକେଜ୍‌ର ଏକ ଅଂଶ ଥିଲା। ୧୦ କୋଟି ଟଙ୍କାରୁ କମ୍ ମୂଲ୍ୟର ଜମି କିମ୍ବା କୋଠାବାଡ଼ି ବିକ୍ରି କରିବା ଲାଗି ବିଏସ୍‌ଏନ୍‌ଏଲ୍‌କୁ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ୍‌)ର ଅନୁମତି ନେବାକୁ ପଡ଼ିବନି। ୧୦ କୋଟି ଟଙ୍କାରୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସମ୍ପତ୍ତି ବିକ୍ରି ବେଳେ ମନ୍ତ୍ରୀ ଗୋଷ୍ଠୀର ଅନୁମୋଦନ ନେବାକୁ ପଡ଼ିବ। ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ବିକ୍ରିର ଦେଖାଶୁଣା କରିବ ଦୀପମ୍ ବିଭାଗ।

Related Articles

Back to top button