
ବିଏସଏନଏଲକୁ ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା
ନୂଆଦିଲ୍ଲୀ: ମୋଦି କ୍ୟାବିନେଟ ପକ୍ଷରୁ ବୁଧବାର ବିଏସଏନଏଲ ପୁନରୁଦ୍ଧାର ପାଇଁ ପ୍ୟାକେଜ ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକ ପରେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଏସଏନଏଲ ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରାଯାଇଛି। ବିଏସଏନଏଲ ଏବଂ ଭାରତ ବ୍ରଡବ୍ୟାଙ୍କ ନେଟୱାର୍କ ଲିମିଟେଡ(ବିବିଏନଏଲ୍)ର ମିଶ୍ରଣକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହା ଦ୍ୱାରା ଦୁଇ ଟେଲିକମ କମ୍ପାନୀ ମଧ୍ୟରେ ସମନ୍ବୟ ତଥା ବିଏସ୍ଏନଏଲ୍ର ପୁନରୁଦ୍ଧାର ପାଇଁ କୌଣସି ଅସୁବିଧା ହେବ ନାହିଁ। ଆମେ ନିଶ୍ଚିତ ଯେ ସରକାରଙ୍କ ଏହି ନିଷ୍ପତ୍ତି ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ବ୍ରଡବ୍ୟାଣ୍ଡ ସେବା ଯୋଗାଇବାରେ ସହାୟକ ହେବ। ଏହା ସହିତ କେନ୍ଦ୍ର କ୍ୟାବିନେଟ ମଧ୍ୟ ଆନୁମାନିକ ୨୬,୩୧୬ କୋଟି ଟଙ୍କା ବ୍ୟୟରେ ୟୁନିଭର୍ସାଲ ସର୍ଭିସ ବାଧ୍ୟତାମୂଳକ ପାଣ୍ଠି ମାଧ୍ୟମରେ ଦେଶର ସମସ୍ତ ଗ୍ରାମକୁ ୪ଜି ସେବା ଯୋଗାଇ ଦିଆଯିବ।