ଆଇସିଆଇସିଆଇ ବ୍ୟାଙ୍କ୍‌ ଋଣ ଠକେଇ ମାମଲାରେ ଭିଡିଓକନ୍‌ର ସଂସ୍ଥାପକ ବେଣୁଗୋପାଳ ଧୂତଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ‘ଆଇସିଆଇସିଆଇ ବ୍ୟାଙ୍କ୍‌’ ଋଣ ଠକେଇ ମାମଲାରେ ‘ସିବିଆଇ’ ‘ଭିଡିଓକନ୍‌ ଗ୍ରୁପ୍‌’ର ସଂସ୍ଥାପକ ବେଣୁଗୋପାଳ ଧୂତଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ‘ସିବିଆଇ’ ‘ଆଇସିଆଇସିଆଇ ବ୍ୟାଙ୍କ୍‌’ର ପୂର୍ବତନ ‘ସିଇଓ’ ଚନ୍ଦା କୋଚ୍ଚର୍‌ ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା।

ଚନ୍ଦା କୋଚ୍ଚର୍‌ ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚର୍‌ଙ୍କ ସହାୟତାରେ ଧୂତ ‘ଆଇସିଆଇସିଆଇ ବ୍ୟାଙ୍କ୍‌’କୁ ଠକିଛନ୍ତି ବୋଲି ଉଠିଥିବା ଅଭି‌ଯୋଗ ପ୍ରସଙ୍ଗରେ ‘ସିବିଆଇ’ ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଚନ୍ଦା କୋଚ୍ଚର୍‌ ଏବଂ ତାଙ୍କ ସ୍ବାମୀଙ୍କୁ ‘ସିବିଆଇ’ ହାଜତକୁ ରିମାଣ୍ଡ୍‌ରେ ପଠାଯାଇଥିଲା। ‘ଭିଡିଓକନ୍‌ ଗ୍ରୁପ୍‌’ କମ୍ପାନିଗୁଡ଼ିକୁ ‘ଆଇସିଆଇସିଆଇ ବ୍ୟାଙ୍କ୍‌’ କରିଥିବା ଋଣ ମଞ୍ଜୁରିରେ ହୋଇଥିବା ଠକେଇ ଓ ଅନିୟମିତା ଅଭିଯୋଗକୁ ଆଧାର କରି ଏହି ମାମଲା ଚାଲିଛି।

ତଦନ୍ତକାରୀ ଏଜେନ୍‌ସି ଅଭିଯୋଗ କରିଛି ଯେ, ‘ବ୍ୟାଙ୍କିଙ୍ଗ୍‌ ରେଗୁଲେସନ୍‌ ଆକ୍ଟ୍‌’, ‘ଆର୍‌ବିଆଇ ଗାଇଡ୍‌ଲାଇନ୍‌’ ଏବଂ ବ୍ୟାଙ୍କ୍‌ର ‘କ୍ରେଡିଟ୍‌ ପଲିସି’କୁ ଉଲ୍ଲଂଘନ କରି ‘ଆଇସିଆଇସିଆଇ ବ୍ୟାଙ୍କ୍‌’ ବେଣୁଗୋପାଳ ଧୂତଙ୍କଦ୍ବାରା ସଂସ୍ଥାପିତ ‘ଭିଡିଓକନ୍‌’ କମ୍ପାନିଗୁଡ଼ିକୁ ୩,୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ‘କ୍ରେଡିଟ୍‌’ ସୁବିଧା ମଞ୍ଜୁର କରିଥିଲା।

୨୦୧୯ରେ ‘ସିବିଆଇ’ ପଞ୍ଜିକୃତ କରିଥିବା ‘ଏଫ୍‌ଆଇଆର୍‌’ରେ କୋଚ୍ଚର ଦମ୍ପତି ଓ ଧୂତଙ୍କ ସମେତ ଦୀପକ କୋଚ୍ଚର୍‌ଙ୍କଦ୍ବାରା ପରିଚାଳିତ ‘ନ୍ୟୁପାୱାର୍‌ ରିନିଉବ୍ଲସ୍‌’, ‘ସୁପ୍ରିମ୍‌ ଏନର୍ଜି’, ‘ଭିଡିଓକନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଇଲେକ୍ଟ୍ରୋନିକ୍ସ୍‌ ଲିମିଟେଡ୍‌’ ଏବଂ ‘ଭିଡିଓକନ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌’ଙ୍କୁ ଅଭିଯୁକ୍ତ ବୋଲି ଉଲ୍ଲେଖ କରିଥିଲା।

Related Articles

Back to top button