ଦୀର୍ଘଦିନ ଧରି ଧବଳେଶ୍ଵର ମନ୍ଦିର ବନ୍ଦ ରହିବା ଯୋଗୁଁ ପୂଜକଙ୍କ ରାଜରାସ୍ତାରେ ଆନ୍ଦୋଳନ

କଟକ: ମନ୍ଦିର ଛାଡ଼ି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ପୂଜକ ସମାଜ। ଏଭଳି ଦୃଶ୍ୟ କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଦେଖିବାକୁ ମିଳିଛି। ଧବଳେଶ୍ଵରଙ୍କ ପୀଠରେ ବଡ଼ଓଷାଠାରୁ ଝୁଲାପୋଲ ମରାମତି ଆଳରେ ଆଜି ପର୍ଯ୍ୟନ୍ତ ସାଧାରଣ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିଛ ଦର୍ଶନ।

ଦୀର୍ଘଦିନ ହେବ ମନ୍ଦିର ବନ୍ଦ ରହିବା ଯୋଗୁଁ ପୂଜକମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ମନ୍ଦିର ଖୋଲିବା ନେଇ ବାରମ୍ବାର ଆଲୋଚନା ସ୍ବତ୍ତ୍ବେ ଖୋଲୁନଥିବା ହେତୁ ପୂଜକମାନେ ଅତିଷ୍ଠ ହୋଇପଡ଼ି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା ଭକ୍ତମାନେ ଧବଳେଶ୍ବରଙ୍କ ଦର୍ଶନ କରି ପାରୁ ନାହାନ୍ତି। ବିନା ଭକ୍ତରେ ଚାଲିଛି ଠାକୁରଙ୍କ ନୀତିକାନ୍ତି। ଝୁଲାପୋଲକୁ ପ୍ରଶାସନ ଅସୁରକ୍ଷିତ ଘୋଷଣା କରିବା ପରଠୁ ପୀଠକୁ ଯିବାକୁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ବି କରାଯାଇନାହିଁ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦାନା ବାନ୍ଧୁଛି। ଅନ୍ୟପଟେ ଝୁଲାପୋଲର ମରାମତି ନିମନ୍ତେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ଝୁଲାପୋଲର ମରାମତି କେବେ ଆରମ୍ଭ ହେବ ? କେତେ ଟଙ୍କା ଖର୍ଚ୍ଚ ହେବ ? ଏ ସଂପର୍କରେ କାର୍ଯ୍ୟକାରୀ ସଂସ୍ଥା ଆରଡି ବିଭାଗ ପାଖରେ ବି କୌଣସି ଖବର ନାହିଁ ।

ଏପଟେ ଆଠଗଡ଼ ଉପଜିଲ୍ଲାପାଳ ପୀଠକୁ ଭକ୍ତଙ୍କ ଯିବା ପାଇଁ ବୋଟ୍ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଚିଠି ଲେଖିଛନ୍ତି। କିନ୍ତୁ ଏ ସଂପର୍କରେ କୌଣସି ସରକାରୀ ଅନୁମତି ଆସି ନ ଥିବାରୁ ପୀଠ ଦର୍ଶନ ପାଇଁ ବିକଳ୍ପ ବ୍ୟବସ୍ଥା ଫିଟିପାରୁନି। ଦୁଇ ବର୍ଷ କୋଭିଚ୍‌ କଟକଣା ପରେ ଏଥର କାର୍ତ୍ତିକରେ ପ୍ରସିଦ୍ଧ ଶୈବପୀଠ
ଧବଳେଶ୍ଵର ଚଳଚଞ୍ଚଳ ହୋଇଥିଲା। ପଞ୍ଚୁକ ଓ ବଡ଼ଓଷା ପୂର୍ବରୁ ବି ରେକର୍ଡ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। କିନ୍ତୁ ଗତ ଅକ୍ଟୋବର ୩୦ ତାରିଖରେ ଗୁଜୁରାଟ ଘଟଣା ପରେ ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲକୁ ବିପଦସଙ୍କୁଳ ଘୋଷଣା କରି ତାହାକୁ ବନ୍ଦ କରି ଦିଆଯାଇଥିଲା।

Related Articles

Back to top button