ଚୀନ ନାଗରିକ ଭାରତରେ ମୋବାଇଲ ଆପ୍‍ କମ୍ପାନୀ କରି ଲୁଟିଲେଣି ଲକ୍ଷାଧିକ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶର ଉତ୍ତର ଓ ଉତ୍ତର ପୂର୍ବ ସୀମାନ୍ତରେ ଭାରତ ସରକାର ଚୀନର ବିସ୍ତାରବାଦୀ ପ୍ରୟାସ ବିରୋଧରେ ଲଢେଇ କରୁଥିବାବେଳେ ଭାରତର ଆର୍ଥିକ ବ୍ୟବସ୍ଥାକୁ ଘାଇଲା କରିବାକୁ ଚୀନ ପକ୍ଷରୁ ବରାବର ସାଇବର ଯୁଦ୍ଧ ଚାଲିଛି। ଚୀନର ଶତାଧିକ ନକଲି ଆପ୍‍ ବଳରେ ଭାରତରୁ ଲକ୍ଷାଧିକ କୋଟି ଟଙ୍କା ଚୀନକୁ ଚାଲିଯାଇଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ସୂତ୍ରରୁ ଜଣାଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଚୀନର ନକଲି ଆପ୍‍ଗୁଡିକ ସମ୍ପର୍କରେ ତଦନ୍ତ କରାଯିବା ସମୟରେ ଜଣାଯାଇଛି ଯେ ଚୀନ ନାଗରିକଙ୍କ ପକ୍ଷରୁ ଭାରତରେ ଅନେକ ଭାରତୀୟ କମ୍ପାନୀ ଗଠନ କରାଯାଉଛି। ଉକ୍ତ କମ୍ପାନୀଗୁଡିକ ଜରିଆରେ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଆୟ କରାଯାଇ ତାହା ଚୀନକୁ ପଠାଇ ଦିଆଯାଉଛି। କିନ୍ତୁ ଭାରତର ଆର୍ଥିକ ଗୋଇନ୍ଦା ଶାଖା (ଏଫଆଇୟୁ) ଏହା ଧରିପାରିନାହିଁ।

ପ୍ରବର୍ତ୍ତନ ନିର୍ଦେଶାଳୟର ଏକ ସୂତ୍ରରୁ କୁହାଯାଇଛି ଯେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ହାତ କରି ଭାରତରେ ପ୍ରଥମେ ଲୋକ ଦେଖାଣିଆ ଡାଇରେକ୍ଟର ନିଯୁକ୍ତ କରାଯାଉଛି। ତାହାର କିଛିଦିନ ପରେ ଚୀନ ନାଗରିକ ଆସି ଉକ୍ତ କମ୍ପାନୀଗୁଡିକର ନିର୍ଦେଶକ ପଦରେ ଅଧିଷ୍ଠିତ ହେଉଛନ୍ତି। ଏହିଭଳି ଶତାଧିକ ଚୀନ ନିୟନ୍ତିତ ମୋବାଇଲ ଆପ୍‍ ଭାରତରେ ପ୍ରଚଳିତ ରହିଛି, ଯାହା ଋଣ, ଡେଟିଂ ଏବଂ ବେଟିଂ ସମ୍ପର୍କିତ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଭାରତରେ ଚାଲିଥିବା ଚୀନ ବେଟିଂ ଆପ୍‍ଗୁଡିକ ଜରିଆରେ ମୋଟ ପ୍ରାୟ ୧୩୦୦ କୋଟି ଟଙ୍କା ରାଜସ୍ୱ ଆୟ କରାଯାଇଛି, ଯାହା ଚୀନକୁ ପଠାଇ ଦିଆଯାଇଛି। ଦୁଇବର୍ଷ ତଳେ ଏଚଏସବିସି ବ୍ୟାଙ୍କରେ ଚୀନର ବେଟିଂ ଓ ଡେଟିଂ ଆପ୍‍ ଦ୍ୱାରା ବେଆଇନ ଭାବରେ ଚୀନକୁ ଭାରତରୁ ରାଜସ୍ୱ ଚାଲାଣ ଘଟଣାରେ ଇଡି ୪୭ କୋଟି ଟଙ୍କା ଜବତ କରିବା ପରେ ପେମେଣ୍ଟ ମାଧ୍ୟମଗୁଡିକ ଉପରେ ଦୃଷ୍ଟି ନିବଦ୍ଧ କରିଥିଲା। ସେଥିମଧ୍ୟରେ ପେଟିଏମ୍‍, କ୍ୟାସଫ୍ରି ଏବଂ ରେଜରପେ ଆଦି ଅନ୍ତର୍ଭୁକ୍ତ ଏବଂ ଏହି ପେମେଣ୍ଟ ସଂସ୍ଥାଗୁଡିକ ଉଚ୍ଚ ମୂଲ୍ୟର କାରବାର ସମ୍ପର୍କରେ ଆର୍ଥିକ ଗୋଇନ୍ଦା ଶାଖାକୁ ସୂଚନା ଦେଇନଥିଲେ। ଇଡି ଏହାର ତଦନ୍ତ କରିବା ପରେ ଗତ ସପ୍ତାହରେ ଏହି ସବୁ ସଂସ୍ଥାର ୧୭ କୋଟି ଟଙ୍କା ଜବତ କରିଛି ଯାହା ଚୀନ ଋଣ ଆପ୍‍ ଏବଂ ତତ୍‍ସମ୍ପର୍କିତ ସଂସ୍ଥାର ମାଲିକମାନଙ୍କର ଅର୍ଥ ବୋଲି କୁହାଯାଇଛି। ଏହି ଆପ୍‍ ଏବଂ ଭାରତରେ ତାହା ପରିଚାଳନା କରୁଥିବା ଲୋକମାନେ ସାଧାରଣ ଲୋକଙ୍କ ଠାରୁ ବଳପୂର୍ବକ ଆଦାୟ ଓ ନିର୍ଯାତନା ଦେଉଥିବା ଅଭିଯୋଗ ମଧ୍ୟ ହସ୍ତଗତ ହୋଇଛି। ଇଡି ଏହିସବୁ ପେମେଣ୍ଟ ମାଧ୍ୟମଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି।

Related Articles

Back to top button