୧୦୦ଡଲାରରୁ କମ୍ ହେଲା ଅଶୋଧିତ ତୈଳ ମୂଲ୍ୟ

ଅଶୋଧିତ ତୈଳର ମୂଲ୍ୟ କମ ହେଉଥିବାରୁ ଖୁବ ଶୀଘ୍ର ପେଟ୍ରୋଲ-ଡିଜେଲର ଦର କମିପାରେ ବୋଲି ଆଶା କରାଯାଉଛି

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଦର ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଏକ ଖୁସି ଖବର ମିଳିଛି। ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଜାରି ରହିଥିବା ବେଳେ ଆଗକୁ ପେଟ୍ରୋଲ-ଡିଜେଲର ଦର ଆହୁରି କମିବ ବୋଲି କୁହାଯାଉଛି। ବର୍ତ୍ତମାନ ଅଶୋଧିତ ତୈଳର ଏକ ବ୍ୟାରେଲ ପିଛା ଦାମ୍ ୧୦୦ଡଲାରରୁ ତଳକୁ ଖସି ଆସିଛି। ଗତ କିଛି ଦିନ ହେଲାଣି ଅଶୋଧିତ ତୈଳର ମୂଲ୍ୟ କମ ହେଉଥିବାରୁ ଖୁବ ଶୀଘ୍ର ପେଟ୍ରୋଲ-ଡିଜେଲର ଦର କମିପାରେ ବୋଲି ଆଶା କରାଯାଉଛି।

ତେବେ ଜୁନ୍ ମାସରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ବୃଦ୍ଧି ପାଇଥିଲା କାରଣ ଗ୍ରୀଷ୍ମ ଛୁଟିରେ ଲୋକମାନେ ଅଧିକ ଯାତ୍ରା କରିଥିବା ସହ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିଥିଲା ଏବଂ ଫସଲ କାମ ପାଇଁ ଗାଡ଼ିର ବ୍ୟବହାର ଅଧିକ ହୋଇଥିଲା। ଓଡ଼ିଶାରେ ଜୁନ୍ ମାସରେ ମଦ ଓ ‌ପେଟ୍ରୋଲରୁ ଭାଟ୍ ବାବଦରେ ୧୦୯୪.୩୩ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଜୁନରେ ଏବାବଦରେ ୭୧୧.୧୫ କୋଟି ଟଙ୍କା ଆଦାୟ ହୋଇଥିଲା। ଅର୍ଥାତ୍ ଗତବର୍ଷ ଜୁନ୍ ତୁଳନାରେ ଚଳିତବର୍ଷ ଜୁନରେ ଭାଟ୍ ଆଦାୟ ରାଶି ଓଡ଼ିଶାରେ ୫୩.୮୮ ପ୍ରତିଶତ ବୃଦ୍ଧି ପାଇଛି। ୧୦୯୪.୩୩ କୋଟି ଟଙ୍କାର ଭାଟ୍‌ରୁ ପେଟ୍ରୋଲିୟମ ଉତ୍ପାଦ ଉପରୁ ୮୬୦.୫୭ କୋଟି ଟଙ୍କା ଏବଂ ମଦରୁ ୨୩୩.୭୬ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଜୁନରେ ରାଜ୍ୟ ସରକାର ଭାଟ୍ ବାବଦରେ ପେଟ୍ରୋଲିୟମ ଉତ୍ପାଦ ଉପରୁ ୫୮୫.୫୮ କୋଟି ଟଙ୍କା ଏବଂ ମଦରୁ ୧୨୫.୫୬ କୋଟି ଟଙ୍କା ଆଦାୟ କରିଥିଲେ।

Related Articles

Back to top button