ଅକ୍ଟୋବର ପହିଲାରୁ ବଦଳିଯିବ ଅନ୍‌ଲାଇନ୍‌ ପେମେଣ୍ଟର ପଦ୍ଧତି: ଟୋକୋନାଇଜେଶନ ଲାଗୁ କରିବ ଆର୍‌ବିଆଇ

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ସେପ୍ଟେମ୍ବର। ଅକ୍ଟୋବର ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ଦ୍ୱାରା ପେମେଣ୍ଟ କରନ୍ତି ତେବେ ଆପଣଙ୍କର ଦେୟ ମୋଡ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର କାର୍ଡ ଅନ୍‌ ଫାଇଲ୍‌ ଟୋକୋନାଇଜେଶନ୍‌ ନିୟମ ଲାଗୁ ହେବାକୁ ଯାଉଛି। ଏହାଦ୍ୱାରା କାର୍ଡଧାରୀଙ୍କ ଦେୟ ଅଭିଜ୍ଞତାରେ ସୁଧାର ଆସିବ। ଏଥିସହ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ ଯୋଗେ କାରବାର ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହୋଇଯିବ।

୨୦୨୨ ଅକ୍ଟୋବର ପହିଲାରୁ ଆର୍‌ବିଆଇ ଟୋକୋନାଇଜେଶନ ଲାଗୁ କରିବ। ଏହାଦ୍ୱାରା ଯେତେବେଳେ ବି ଉପଭୋକ୍ତାମାନେ ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌) ମେଶିନ, ଅନଲାଇନ୍‌ କିମ୍ବା କୌଣସି ଆପ୍‌ ଜରିଆରେ ପେମେଣ୍ଟ କରନ୍ତି ତେବେ ସେମାନଙ୍କ କାର୍ଡ ବିବରଣୀ ଏକ ଏନ୍‌କ୍ରିପ୍ଟ ଟୋକେନ୍‌ ଭାବେ ଗଚ୍ଛିତ ହେବ। ଫଳରେ କୌଣସି ପେମେଣ୍ଟ କମ୍ପାନୀ ଆପଣଙ୍କ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ତଥ୍ୟ ସଂରକ୍ଷଣ କରିବାରେ ସକ୍ଷମ ହେବେ ନାହିଁ। ଏହା ପରିବର୍ତ୍ତେ କମ୍ପାନୀମାନଙ୍କୁ ଏକ ବିକଳ୍ପ କୋଡ୍‌ ପ୍ରଦାନ କରିବାକୁ ହେବ, ଯାହାର ନାମ ଟୋକେନ୍‌ ଦିଆଯାଇଛି।

ଟୋକୋନାଇଜେଶନ ସିଷ୍ଟମ ଲାଗୁ ହେବା ପରେ ପେମେଣ୍ଟ କମ୍ପାନୀମାନଙ୍କୁ ଆପଣଙ୍କ କାର୍ଡ ବଦଳରେ ଏକ ବିକଳ୍ପ କୋର୍ଡ କିମ୍ବା ଟୋକେନ୍‌ ଦେବାକୁ ହେବ। ଏହା ସ୍ବତନ୍ତ୍ର ରହିବ। ଏକାଧିକ କାର୍ଡ ଲାଗି ସମାନ ଟୋକେନ୍‌ ବ୍ୟବହାର କରାଯାଇପାରିବ। ଏହା ଦେୟ ପଦ୍ଧତିକୁ ବଦଳାଇବ। କାରଣ ଅନ୍‌ଲାଇନ୍‌ ପେମେଣ୍ଟ କରିବା ସମୟରେ ଆପଣଙ୍କ କାର୍ଡ ଦେବା ପରିବର୍ତ୍ତେ ଏହି ସ୍ବତନ୍ତ୍ର ଟୋକେନ୍‌ ବ୍ୟବହାର କରିବାକୁ ହେବ।
ଆର୍‌ବିଆଇ ସମସ୍ତ ଅପରେଟିଂ ବ୍ୟାଙ୍କକୁ କାର୍ଡ ବିବରଣୀ ଲାଗି ଟୋକେନ୍‌ ତିଆରି କରିବାକୁ କହିଛି। ବର୍ତ୍ତମାନ ସମୟରେ ଗ୍ରାହକମାନେ କ୍ରେଡିଟ୍‌ କାର୍ଡ କିମ୍ବା ଡେବିଟ୍‌ କାର୍ଡର ସୂଚନା ଲିକ୍‌ ଯୋଗୁ ଠକେଇ ହେବାର ଆଶଙ୍କା ଥିବାରୁ କାର୍ଡ ବଦଳରେ ଟୋକେନ୍‌ ମାଧ୍ୟମରେ ପେମେଣ୍ଟ ସିଷ୍ଟମ ଲାଗୁ ହେତୁ ଜାଲିଆତି ମାମଲା ହ୍ରାସ ପାଇବ।

ଏହି ନୂଆ ସୁବିଧା ଲାଭ ନେବା ଲାଗି ବ୍ୟବହାରକାରୀଙ୍କୁ କୌଣସି ପ୍ରକାର ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। ଏହାର ବ୍ୟବହାର ବି ଗ୍ରାହକଙ୍କ ଉପରେ ନିର୍ଭର କରିବ। କାର୍ଡର ଟୋକେନ୍‌ ନା ପୁରୁଣା ପ୍ରଣାଳୀରେ ସେ ନେଣଦେଣ କରିବ ତାହା ନିଜେ ହିଁ ସ୍ଥିର କରିବ। ଯେଉଁ ଗ୍ରାହକ ଟୋକେନ କରିବାକୁ ଚାହିଁବେ ନାହିଁ ସେମାନେ ପୂର୍ବଭଳି କାର୍ଡ ବିଷୟରେ ସୂଚନା ଦେଇ ନେଣଦେଣ କରିପାରିବେ।

ଏହି ସିଷ୍ଟମ ଲାଗୁ ହେବା ନେଇ ଚର୍ଚ୍ଚା ଗତ ବର୍ଷରୁ ଆରମ୍ଭ ହୋଇଥିଲା। ହେଲେ ଡେଡ୍‌ଲାଇନ୍‌କୁ ଚଳିତ ବର୍ଷ ଦୁଇଥର ଆଗକୁ ନିଆଯାଇଛି। ଏବେ କିନ୍ତୁ ସେଭଳି ସମ୍ଭାବନା ନ ଥିବା କୁହାଯାଉଛି। ପେମେଣ୍ଟ କମ୍ପାନୀଗୁଡ଼ିକୁ ଏବେ ୨୦୨୨ ସେପ୍ଟେମ୍ବର ୩୦ ପରଠାରୁ ଲୋକଙ୍କ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡର ଡାଟା କାଟିବାକୁ ହେବ।

Related Articles

Back to top button