ଶସ୍ତା ହୋଇପାରେ ଖାଇବା ତେଲ ଓ ସୁନା,ରୂପା: ବେସିକ୍ ଇମ୍ପୋର୍ଟ ପ୍ରାଇସ୍‌ ହ୍ରାସ କଲେ ସରକାର

ନୂଆଦିଲ୍ଲୀ: ଆଗାମୀ ଦିନମାନଙ୍କରେ ଖାଦ୍ୟ ତୈଳ ଓ ସୁନା ଶସ୍ତା ହୋଇପାରେ। କାରଣ ସରକାର ଚଳିତ ପାକ୍ଷିକରେ ଖାଦ୍ୟ ତୈଳ, ସୁନା ଓ ରୂପା ଆମଦାନୀ ମୂଲ୍ୟରେ ବେସିକ୍ ଇମ୍ପୋର୍ଟ ପ୍ରାଇସ୍ ହ୍ରାସ କରିଛନ୍ତି। ଏ ନେଇ ସରକାର ଗତ ପାକ୍ଷିକରେ ଘୋଷଣା କରି କହିଥିଲେ ଯେ ବୈଶ୍ୱିକ ବାଜର ମୂଲ୍ୟରେ ସୁଧାର ଦେଖାଯାଇଛି। ରିପୋର୍ଟ ଅନୁସାରେ ସରକାର ଅଶୋଧିତ ପାମ ଅଏଲର ବେସ୍ ପ୍ରାଇସ୍ ୯୯୬ ଡଲାର ପ୍ରତିଟନରୁ ହ୍ରାସ କରି ୯୩୭ ଡଲାର କରିଦେଇଛନ୍ତି।

ଏଥିରୁ ପାମ ଅଏଲ ଓ ଅନ୍ୟ ଖାଦ୍ୟ ତୈଳ ଆମଦାନୀର ବେସ୍ ପ୍ରାଇସ୍ ହ୍ରାସ ହୋଇଥିବାରୁ ମୂଲ୍ୟ ହ୍ରାସ ହେବ ବୋଲି ଆଶା କରାଯାଉଛି। ତେବେ ଆମଦାନୀକାରୀଙ୍କ ଶୁଳ୍କ ହିସାବ ପରେ ଦର କେତେ ଶସ୍ତା ହେବ ତାହା କୁହାଯାଇପାରିବ। ଏଥିରେ ସରକାର ଆରବିଡି ପାମୋଲିନର ବେସ୍ ପ୍ରାଇସ୍ ପ୍ରତି ଟନ ୧୦୩୫ ଡଲାରରୁ ହ୍ରାସ କରି ୯୯୮ ଡଲାର କରିଥିବା ବେଳେ ଅଶୋଧିତ ସୋୟାବିନ ତେଲର ବେସ୍ ପ୍ରାଇସ୍ ୧୩୬୨ ଡଲାରରୁ ହ୍ରାସ କରି ୧ହଜାର ୨୫୭ ଡଲାର କରିଛନ୍ତି। ସେହିପରି ସୁନା ପ୍ରତି ୧୦ ଗ୍ରାମ ବେସ୍ ପ୍ରାଇସ୍ ୫୫୩ଡଲାରରୁ ୫୪୯ ଡଲାର କରିଥିବା ବେଳେ ରୂପା କେଜି ପିଛା ୬୩୫ରୁ ୬୦୮ ଡଲାରକୁ ହ୍ରାସ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଭାରତ ବିଶ୍ୱରେ ଖାଦ୍ୟ ତୈଳ ଓ ରୂପାର ସବୁଠୁ ବଡ଼ ଆମଦାନୀକାରୀ ଦେଶ। ସେହିପରି ସୁନାର ଦ୍ୱିତୀୟ ବଡ଼ ଉପଭୋକ୍ତା। ଏଣୁ ବେସିକ୍ ଇମ୍ପୋର୍ଟ ପ୍ରାଇସ୍ ହ୍ରାସ ହୋଇଥିବାରୁ ସୀମାଶୁଳ୍କ ମଧ୍ୟ ହ୍ରାସ ହେବ। ଏଥିରୁ ଖାଦ୍ୟ ତୈଳ ସହିତ ଘରୋଇ ବଜାରରେ ସୁନା ରୂପା ମଧ୍ୟ ଶସ୍ତା ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

Related Articles

Back to top button