ଟିକ୍‌ଟକ୍‌ ଏବଂ ପବ୍‌ଜି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବ ତାଲିବାନ

କାବୁଲ: ତାଲିବାନ ଆସନ୍ତା ତିନି ମାସ ମଧ୍ୟରେ ଟିକ୍‌ଟକ୍‌ ଏବଂ ପବ୍‌ଜି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତାଲିବାନ ନେତୃତ୍ୱାଧୀନ ଟେଲିକମ ବିଭାଗ ଏହା ଘୋଷଣା କରିଛି।

ଆଫଗାନିସ୍ତାନ ନ୍ୟୁଜ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ ତାଲିବାନ ସୁରକ୍ଷା କ୍ଷେତ୍ରର ପ୍ରତିନିଧୀ ତଥା ଶରିୟା ଆଇନ ପ୍ରବର୍ତ୍ତନ ପ୍ରଶାସନର ପ୍ରତିନିଧୀଙ୍କ ସହ ଏକ ବୈଠକ କରିଥିଲେ ଏବଂ ପରେ ନବେ ଦିନ ମଧ୍ୟରେ ଟିକ୍‌ଟକ୍‌ ଏବଂ ପବ୍‌ଜି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏକ ମାସ ମଧ୍ୟରେ ଟିକ୍‌ଟକ୍‌ ଏବଂ ନବେ ଦିନ ମଧ୍ୟରେ ପବ୍‌ଜି ଉପରେ ପ୍ରତିବନ୍ଧକ ଲଗାଯିବ।

ଦେଶର ଟେଲିକମ ଏବଂ ଇଣ୍ଟରନେଟ ସେବା ପ୍ରଦାନକାରୀମାନେ ମଧ୍ୟ ଏହି ନିଷେଧାଦେଶ ସମ୍ବନ୍ଧରେ ସୂଚନା ଦେଇଛନ୍ତି ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ କହିଛନ୍ତି। ଏହାପୂର୍ବରୁ କ୍ଷମତାକୁ ଆସିବା ପରେ ତାଲିବାନ ପ୍ରଶାସନ ଅନୈତିକ ବିଷୟବସ୍ତୁ ପ୍ରଦର୍ଶନ କରୁଥିବା ୨୩ ମିଲିୟନ ୱେବସାଇଟକୁ ବନ୍ଦ କରିଥିଲା।

ତାଲିବାନ ପ୍ରଶାସନର ଯୋଗାଯୋଗ ମନ୍ତ୍ରୀ ନଜିବୁଲ୍ଲା ହକ୍କାନି ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଆମେ ୨୩.୪ ନିୟୁତ ୱେବସାଇଟ ଅବରୋଧ କରିଛୁ। ଓ୍ବେବସାଇଟଗୁଡ଼ିକ ପ୍ରତ୍ୟେକ ଥର ନିଜର ପେଜ୍‌କୁ ପରିବର୍ତ୍ତନ କରୁଛନ୍ତି। କାରଣ ଯେତେବେଳେ ଆପଣ ଗୋଟିଏ ୱେବସାଇଟ ଅବରୋଧ କରନ୍ତି, ଅନ୍ୟଟି ସକ୍ରିୟ ହୋଇଯାଉଛି।

କାର୍ଯ୍ୟକ୍ରମରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଡେପୁଟି ଯୋଗାଯୋଗ ମନ୍ତ୍ରୀ ଅହମ୍ମଦ ମାସୁଦ ଲତିଫ ଫେସବୁକକୁ ସମାଲୋଚନା କରିଛନ୍ତି ଏବଂ ବିଷୟବସ୍ତୁ ନିୟନ୍ତ୍ରଣରେ ତାଲିବାନ ଅଧିକାରୀଙ୍କ ସହ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି।

Related Articles

Back to top button