ସାବିତ୍ରୀ ଜିନ୍ଦଲ ଏସିଆର ସବୁଠୁ ଧନୀ ମହିଳା

ନୂଆଦିଲ୍ଲୀ: ଭାରତର ସାବିତ୍ରୀ  ଜିନ୍ଦଲ ଏସିଆର ସବୁଠୁ ଧନୀ ମହିଳା ହୋଇଛନ୍ତି। ସାବିତ୍ରୀ ଜିନ୍ଦଲ ଚୀନର ୟାଙ୍ଗ ହୁଇୟନଙ୍କୁ ପଛରେ ପକାଇ ଏହା  ହାସଲ କରିଛନ୍ତି। ୟାଙ୍ଗ ହୁଇୟନ ଗତ ପାଞ୍ଚ ବର୍ଷ ଧରି ଏସିଆର ସବୁଠୁ ଧନୀ ମହିଳା ରହିଥିଲେ। ସେ ଚୀନର ସବୁଠୁ ବଡ ରିୟଲ ଇଷ୍ଟେଟ ଡେଭଲପର କଣ୍ଟ୍ରି ଗାର୍ଡନ ହୋଲଡିଙ୍ଗ୍ସଙ୍କୁ ପରିଚାଳନା କରୁଛନ୍ତି। ହେଲେ ରିୟଲ ଇଷ୍ଟେଟ୍ କମ୍ପାନୀ ଉପରେ ସରକାରଙ୍କ କଟକଣାର ପ୍ରଭାବ  ୟାଙ୍ଗ ହୁଇୟାନଙ୍କ ସଂପତ୍ତି ଉପରେ ପଡିଛି।

କାହାର କେତେ ସଂପତ୍ତି

ବ୍ଲୁମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ୟାଙ୍ଗ ହୁଇୟାନଙ୍କ ସଂପତ୍ତି ଗତ ବର୍ଷ ପାଖାପାଖି ୨୪ ବିଲିୟନ ଡଲାର ହ୍ରାସ ପାଇ ୧୧ ବିଲିୟନ ଡଲାରକୁ ଖସି ଆସିଛି। ଅନ୍ୟପଟେ ଜିନ୍ଦଲ ଗ୍ରୁପର ମୁଖ୍ୟ ସାବିତ୍ରୀ ଜିନ୍ଦଲଙ୍କ ସଂପତ୍ତି ୧୧.୩ ବିଲିୟନ ଡଲାର ରହିଛି। ୭୨ ବର୍ଷୀୟ  ସାବିତ୍ରୀଙ୍କ ସଂପତ୍ତି ଏହି ଦୁଇ ବର୍ଷରେ ୧୨ ବିଲିୟନ ଡଲାର ବୃଦ୍ଧି ଘଟିଛି।

ଫୋବର୍ସ ଅନୁସାରେ, ସାବିତ୍ରୀ ଜିନ୍ଦଲ ଗତ କିଛି ବର୍ଷ ଧରି ଭାରତର ସବୁଠୁ ଧନୀ ମହିଳା ରହି ଆସିଛନ୍ତି। ଭାରତର ସବୁଠୁ ଧନୀ ମହିଳା ତାଲିକାରେ ତାଙ୍କ ପରେ କିରଣ ମଜୁମଦାର ଏବଂ କୃଷ୍ଣା ଗୋଦରେଜ ରହିଛନ୍ତି।

ସୂଚନାଯୋଗ୍ୟ, ୨୦୦୫ରେ ସାବିତ୍ରୀ ଜିନ୍ଦଲଙ୍କ ସ୍ଵାମୀ ତଥା ଜିନ୍ଦଲ ଗ୍ରୁପର ସଂସ୍ଥାପକ ଓମ ପ୍ରକାଶ ଜିନ୍ଦଲଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ସାବିତ୍ରୀ ନିଜ ସ୍ଵାମୀଙ୍କ କାରବାର ସମ୍ଭାଳି ଆସୁଛନ୍ତି। ସାବିତ୍ରୀ ଜିନ୍ଦଲ ଜିନ୍ଦଲ ଗ୍ରୁପକୁ ଆଗକୁ ନେଇ ଚାଲିଛନ୍ତି ଏବଂ ସାଧାରଣ ଜନତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି।

Related Articles

Back to top button