ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ୩୧୮ କୋଟି ଟଙ୍କା ପୈଠ କରି ନାହାନ୍ତି ବିଜୟ ମାଲ୍ୟା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏପର୍ଯ୍ୟନ୍ତ ୩୧୮ କୋଟି ଟଙ୍କା ଦେଇ ନାହାଁନ୍ତି ପଳାତକ ବିଜୟ ମାଲ୍ୟା। ସୋମବାର ସୁପ୍ରିମକୋର୍ଟ ଏହି ସୂଚନା ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ୩୧୮ କୋଟି ଟଙ୍କା ଦେବାକୁ ମାଲ୍ୟାଙ୍କୁ ଚାରି ସପ୍ତାହ ସମୟ ଦିଆଯାଇଛି। କିନ୍ତୁ ସେ ଏପର୍ଯ୍ୟନ୍ତ ତାହା ଦେଇ ନାହାନ୍ତି। ଏଥି ସହିତ ମାଲ୍ୟା ସୁପ୍ରିମକୋର୍ଟଙ୍କ ଜୁଲାଇ ୧୧ ନିର୍ଦ୍ଦେଶକୁ ପାଳନ କରିନଥିବା ଜଣାପଡିଛି। ଦେଶର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଏବଂ ଜଷ୍ଟିସ ଏସ ରବିନ୍ଦ୍ର ଭଟଙ୍କ ଏକ ବେଞ୍ଚ ସେପ୍ଟେମ୍ବର ୧୨ ରେ ଏ ନେଇ ପରବର୍ତ୍ତୀ ଶୁଣାଣି କରିବେ।

ଅଗଷ୍ଟ ୧୮ରେ କୋର୍ଟ ରେଜିଷ୍ଟ୍ରିକୁ ବେଙ୍ଗାଲୁରୁ ସ୍ଥିତ ଋଣ ଆଦାୟ ଟ୍ରିବ୍ୟୁନାଲର ରିକଭରି ଅଫିସର ଚିଠି ଲେଖି ଅବଗତ କରାଇଥିଲେ ଯେ ବିଜୟ ମାଲ୍ୟା ୩୧୮ କୋଟି ଟଙ୍କା ପୈଠ କରି ନାହାନ୍ତି। ଯାହା ସେ ଆମେରିକୀୟ ପାଖାପାଖି ୪୦ ଡଲାର ତାଙ୍କ ସନ୍ତାନ ମାନଙ୍କୁ ଟ୍ରାନ୍ସଫର କରିଥିଲେ। ଉଭୟ ମାଲ୍ୟା କିମ୍ବା ତାଙ୍କ ପିଲାଙ୍କ ଠାରୁ ସେ ଏହି ଅର୍ଥ ପାଇନାହାନ୍ତି। ସୋମବାର କେନ୍ଦ୍ର ସରକାରଙ୍କ ଓକିଲ ତଥା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଅବଗତ କରାଇଥିଲେ ଯେ ମାଲ୍ୟା ଏହି ଅର୍ଥ ପୈଠ କରି ନ ଥିବାରୁ ଏହି ସ୍ଥିତି ପୂର୍ବଭଳି ରହିଛି।

ମାଲ୍ୟା ୯୦୦୦ କୋଟିରୁ ଅଧିକ ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗ ହୋଇଛି। ମାଲ୍ୟା ୨୦୧୬ରୁ ବ୍ରିଟେନରେ ଅଛନ୍ତି। ଚଳିତ ବର୍ଷ ଜୁଲାଇ ୧୧ରେ ମାଲ୍ୟାଙ୍କୁ କୋର୍ଟ ଅବମାନନା ଅଭିଯୋଗରେ ଚାରିମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଏବଂ ୩୧୮ କୋଟି ଟଙ୍କା ଚାରି ସପ୍ତାହ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପଳାତକ ବ୍ୟବସାୟୀଙ୍କୁ ଭାରତକୁ ଫେରିବା ସୁନିଶ୍ଚିତ କରିବାକୁ ବେଞ୍ଚ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଦ୍ୱାରା ସେ ଜେଲ ଦଣ୍ଡ ଭୋଗିବେ।

ସୁପ୍ରିମକୋର୍ଟ କହିଛନ୍ତି ଯେ ମାଲ୍ୟା ଯାହା କରିଛନ୍ତି ସେଥିପାଇଁ କୌଣସି ଅନୁତାପ କରି ନାହାନ୍ତି । ଏବଂ ଶୁଣାଣି ସମୟରେ ମଧ୍ୟ ସେ ହାଜର ହୋଇନାହାନ୍ତି। ଆଇନର ସମ୍ମାନ ବଜାୟ ରଖିବା ପାଇଁ ତାଙ୍କୁ ଦଣ୍ଡ ଦେବା ଆବଶ୍ୟକ।

Related Articles

Back to top button