ବ୍ଲିଙ୍କିଟ୍ ଡିଲ ଯୋଗୁ ଜୋମାଟୋ ସେୟାର ମୂଲ୍ୟରେ ୧ ବିଲିୟନ ଡଲାରରୁ ଅଧିକ କ୍ଷତି

ମୁମ୍ବାଇ: ଭାରତରେ ଜୋମାଟୋ ଲିମିଟେଡର ସେୟାର ମୂଲ୍ୟରେ ମଙ୍ଗଳବାର ୮.୨ ପ୍ରତିଶତ ହ୍ରାସ ହୋଇଛି। ଲଗାତାର ଦ୍ୱିତୀୟ ଦିନ ଏହି ହ୍ରାସ ଜୋମାଟୋର ସ୍ଥାନୀୟ କିରାନା ଡେଲିଭରୀ ଷ୍ଟାର୍ଟଅପ ବ୍ଲିଙ୍କିଟ ଅଧିଗ୍ରହଣ ଲାଗି ହୋଇଛି। ନିବେଶକ ଜୋମାଟୋରେ ବ୍ଲିଙ୍କିଟର ମିଶ୍ରଣ ଆବଶ୍ୟକତା ନେଇ ପ୍ରଶ୍ନ ଉଠାଉଥିବା ବେଳେ ସେୟାର ବଜାରରେ ଜୋମାଟୋର ହ୍ରାସ ଜାରି ରହିଛି। ଚୀନ୍‌ର ଏଣ୍ଟ ଗ୍ରୁପ ସମର୍ଥିତ ଖାଦ୍ୟ ବିତରଣ କମ୍ପାନୀ ଶୁକ୍ରବାର ବ୍ଲିଙ୍କିଟ୍‌ର ୪ହଜାର ୪୪୭ କୋଟିର ସେୟାର ଅଧିଗ୍ରହଣ କରିବାକୁ ଘୋଷଣା କରିଥିଲା।

ଗତ ଅଗଷ୍ଟରେ ସଫ୍ଟବ୍ୟାଙ୍କ ସମର୍ଥିତ ବ୍ଲିଙ୍କିଟ୍ ର ୯ ପ୍ରତିଶତରୁ ଅଧିକ ସେୟାର ୫୧୮ କୋଟି ଟଙ୍କାରେ ଜୋମାଟୋ କିଣି ନେଇଥିଲା। ଏଥିରେ ଆଗମୀ ୨ ବର୍ଷରେ ଭାରତର ତ୍ୱରିତ ବାଣିଜ୍ୟ ବଜାରରେ ୪୦୦ ମିଲିୟନ ଡଲାର ନିବେଶର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା।   କୋଟାକ ଇନିଷ୍ଟିଚ୍ୟୁସନାଲ ଇକ୍ୱିଟିଜ୍ ବିଶ୍ଲେଷକମାନେ ଏକ ନୋଟରେ ବଜାରରେ ବ୍ଲିଙ୍କିଟ୍‌ର ବଢୁଥିବା ପ୍ରତିଯୋଗୀତାକୁ ଦେଖିଲେ ଜୋମାଟୋର ପ୍ରସ୍ତାବିତ ୪୦୦ ମିଲିୟନ ଡଲାରରୁ ବି ଅଧିକ ନିବେଶର ଆବଶ୍ୟକତା ପଡିପାରେ ବୋଲି ଉଲ୍ଲେଖ କରିଛନ୍ତି।

ଦେଶରେ କ୍ୱିକ୍ କମର୍ସ ସେକ୍ଟରରେ ଦ୍ରୁତ ଅଭିବୃଦ୍ଧି ହେଉଛି। ଯେଉଁଥିରେ ସ୍ୱିଗି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସମର୍ଥିତ ଡଞ୍ଜୋ, ଟାଟା ସମର୍ଥିତ ବିଗବାସ୍କେଟ୍ ଏବଂ ଜେପ୍ଟୋ ସହ ଜୋମାଟୋର ପ୍ରତିଦ୍ୱନ୍ଦ୍ୱୀତା ବଢି ବଢି ଚାଲିଛି। ଏଥିରେ ରିଲାଏନ୍ସ ଓ ଟାଟା ବିପୁଳ ନିବେଶ ମଧ୍ୟ କରୁଛନ୍ତି। ଗତ ବର୍ଷ ଏହି ଉଦ୍ୟୋଗ ୩୦୦  ମିଲିୟନ ଡଲାରର ଥିଲା ଯାହା ୨୦୨୫ ସୁଦ୍ଧା ୧୦ରୁ ୧୫ ଗୁଣା ବଢି ୫ ବିଲିୟନ ଡଲାରରେ ପହଞ୍ଚିବ ବୋଲି ରେଡସିର ଗବେଷଣା ରିପୋର୍ଟରେ କୁହାଯାଇଛି।

Related Articles

Back to top button