ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ସମ୍ବଲପୁର ରେଳଷ୍ଟେସନରୁ ଆଗ୍ରା, ମଥୁରା ଓ ବୃନ୍ଦାବନ ଅଭିମୁଖେ ଟ୍ରେନ୍‍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବଲପୁର ରେଳଷ୍ଟେସନରୁ ଆଗ୍ରା, ମଥୁରା ଓ ବୃନ୍ଦାବନ ଅଭିମୁଖେ ଟ୍ରେନ୍‍ ସେବାର ଶୁଭାରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଭ୍ରମଣ କରିବା ପାଇଁ ରାଜ୍ୟ ସରକାର ସୁବିଧା ଯୋଗାଇଥାନ୍ତି। ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ଯୋଜନାକୁ ଇଣ୍ଡିଆନ ରେଲୱେ କ୍ୟାଟେରିଂ ଏବଂ ଟୁରିଜିମ୍‍ କର୍ପୋରେସନ୍‍ (ଆଇ.ଆର.ସି.ଟି.ସି.) ସହଯୋଗରେ ରୂପାୟନ କରାଯାଉଛି।

ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ଥିବା ଆଗ୍ରହୀ ବରିଷ୍ଠ ନାଗରିକମାନେ ଓଡ଼ିଶା ପର୍ଯ୍ୟଟନ ବିଭାଗର ୱେବ୍‍ସାଇଟ୍‍ରୁ ଅଧିକ ତଥ୍ୟ ପାଇପାରିବେ। ତେବେ ଆୟକର ଦେଉଥିବା ବରିଷ୍ଠ ନାଗରିକ ଏହି ଯୋଜନାର ପରିସରଭୁକ୍ତ ହେବେ ନାହିଁ। ଚଳିତ ବର୍ଷ ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର, ରାୟଗଡ଼ା ଓ ସମ୍ବଲପୁରରୁ ୫ଟି ଟ୍ରେନ୍‍ ବିଭିନ୍ନ ତୀର୍ଥ ସ୍ଥାନକୁ ଯାତ୍ରା କରିବ। ଯେଉଁ ପାଞ୍ଚଟି ତୀର୍ଥ ସର୍କିଟ ଏଥିପାଇଁ ନିର୍ଦ୍ଧାରଣ କରାଯାଇଛି ସେଗୁଡ଼ିକ ହେଲା ବ୍ରହ୍ମପୁରରୁ ରାମେଶ୍ୱରମ୍‍-ମଦୁରାଇ, ବାଲେଶ୍ୱରରୁ ହରିଦ୍ୱାର-ଋଷିକେଶ, ଭୁବନେଶ୍ୱରରୁ ଆଜମେର-ପୁଷ୍କର, ରାୟଗଡ଼ାରୁ ତିରପୁତିଭେଲୋର ଶ୍ରୀକଳାହସ୍ତି ଏବଂ ସମ୍ବଲପୁରରୁ ଆଗ୍ରା-ମଥୁରା-ବୃନ୍ଦାବନ।

Related Articles

Back to top button