ଆତ୍ମ ସମର୍ପଣ ପରେ ସପନା ଚୌଧୁରୀଙ୍କ ଜାମିନ ବିହୀନ ଗିରଫ ୱାରେଣ୍ଟ ପ୍ରତ୍ୟାହୃତ

ଲକ୍ଷ୍ନୌ: ହରିୟାଣାର ଡ୍ୟାନ୍ସର ସପନା ଚୌଧୁରୀ ସୋମବାର କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ ପରେ ଏସଜିଏମ କୋର୍ଟ ସପନାଙ୍କୁ ନିଜ ହେପାଜତକୁ ନେଇଛନ୍ତି। ସପନା ଚୌଧୁରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା। ଏହି କାରଣରୁ ତାଙ୍କୁ କୋର୍ଟରେ ହାଜର ହେବାର ଥିଲା। ଗତ ଛଅ ତାରିଖ କୋର୍ଟରେ ହାଜର ହେବା ପୂର୍ବରୁ ଜଜ ଶାନ୍ତନୁ ତ୍ୟାଗୀ ଜରୁରୀକାଳୀନ ଛୁଟିରେ ଚାଲି ଯାଇଥିଲେ। ଏହି କାରଣରୁ ସପନା ହାଜର ହୋଇ ପାରି ନଥିଲେ।

ଏହାର କିଛି ସମୟ ପରେ ସପନାଙ୍କ ବିରୋଧରେ ଜାରି ଓ୍ଵାରେଣ୍ଟକୁ କୋର୍ଟ ପ୍ରତ୍ୟାହାର କରିଛନ୍ତି। କିଛି ସମୟ ପରେ କୋର୍ଟ ତାଙ୍କୁ ନିଜ ହେପାଜତରୁ ମୁକ୍ତ କରିଛନ୍ତି। କୋର୍ଟ ସପନା ଚୌଧୁରୀଙ୍କ ବିରୋଧରେ ଓ୍ଵାରେଣ୍ଟ ଏହି ସର୍ତ୍ତରେ  ସମାପ୍ତ କରିଛନ୍ତି ଯେ, ସେ କୋର୍ଟ କାର୍ଯ୍ୟରେ ସହଯୋଗ କରିବେ ଏବଂ ନିର୍ଦ୍ଧାରିତ ଶୁଣାଣିରେ ଉପସ୍ଥିତ ରହିବେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦ ତାରିଖ ଧାର୍ଯ୍ୟ କରାଯାଇଛି।

ଅଭିଯୋଗ ଅନୁସାରେ, ଲକ୍ଷ୍ନୌର ସ୍ମୃତି ଉପବନରେ ସପନା ଚୌଧୁରୀଙ୍କ ଏକ ଡ୍ୟାନ୍ସ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିଲା ଏଥିପାଇଁ ହଜାର ହଜାର ଟିକେଟ୍ ବିକ୍ରି ହୋଇଥିଲା । ସପନା ଚୌଧୁରୀଙ୍କୁ ଅଗ୍ରୀମ ରାଶି ମଧ୍ୟ ଦିଆ ସରିଥିଲା । କିନ୍ତୁ ସପନା ଚୌଧୁରୀ ପହଞ୍ଚିଲେ ନାହିଁ, ଫଳରେ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ସପନା ଅଗ୍ରୀମ ଆକାରରେ ଯେଉଁ ଟଙ୍କା ନେଇଥିଲେ ତାହା ମଧ୍ୟ ଆୟୋଜକଙ୍କୁ ଫେରାଇ ନଥିଲେ ।

ଏହି ମାମଲାରେ ୨୦୧୮ ଅକ୍ଟୋବର ୧୩ରେ ଆଶିୟାନା ଫାଣ୍ଡିର ସବ ଇନ୍ସପେକ୍ଟର ଫିରୋଜ ଖାନ ସପନା ଚୌଧୁରୀ, ରତ୍ନାକର ଉପାଧ୍ୟାୟ, ଅମିତ୍ ପାଣ୍ଡେ, ପହଲ ଇନଷ୍ଟିଚ୍ୟୁଟ୍‌ର ଇବାଦ ଅଲୀ, ନବୀନ ଶର୍ମା ଏବଂ ଜୁନୈଦ ଅହମ୍ମଦଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ। ଏଥିସହ ୨୦୧୯ ଜାନୁଆରୀ ୨୦ରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ସପନା ଚୌଧୁରୀଙ୍କ ବିରୋଧରେ ମାର୍ଚ୍ଚ ୧ରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଥିଲା।

Related Articles

Back to top button