‘ଇମରଜେନ୍ସି’ର ପ୍ରଥମ ଲୁକ୍‌ ଜାରି

ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଗାମୀ ଫିଲ୍ମ ‘ଇମରଜେନ୍ସି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରଥମ ଲୁକ୍‌ ଆଜି କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ତାଙ୍କ ଲୁକ୍‌କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

‘ଇମରଜେନ୍ସି’ର ପ୍ରଥମ ଲୁକ୍‌ରେ କଙ୍ଗନା ଇନ୍ଦିରାଙ୍କ ଭଳି ଛୋଟ ଛୋଟ କେଶ ରଖିଥିବା ଦେଖାଯାଇଛି। ଏହା ବ୍ୟତୀତ କଙ୍ଗନା ଅତ୍ୟନ୍ତ ଆତ୍ମବିଶ୍ୱାସୀ ଶୈଳୀରେ ଫିଲ୍ମରେ ନଜର ଆସିଛନ୍ତି। ଇନ୍ଦିରାଙ୍କୁ ତାଙ୍କ ଚରିତ୍ରରେ ସମ୍ପୂର୍ଣ୍ଣ ରୂପେ ଆଣିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଏହି ପୋଷ୍ଟର ସହିତ କଙ୍ଗନା କ୍ୟାପସନରେ ଲେଖିଛନ୍ତି, ଇମରଜେନ୍ସିର ପ୍ରଥମ ଲୁକ… ବିଶ୍ୱ ଇତିହାସରେ ସବୁଠାରୁ ଶକ୍ତିଶାଳୀ ଏବଂ ବିବାଦୀୟ ମହିଳାଙ୍କ ମଧ୍ୟରୁ ଜଣେ।

ପୋଷ୍ଟର ଦେଖିବା ପରେ କଙ୍ଗନାଙ୍କ ପ୍ରଶଂସକମାନେ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାପୂର୍ବରୁ କଙ୍ଗନା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟ ଲଲିତାଙ୍କ ଜୀବନୀ ଉପରେ ଆଧାରିତ ଥଲାଇଭି ଫିଲ୍ମରେ ଅଭିନୟ କରିଛନ୍ତି। ଯଦିଓ ଏହି ଫିଲ୍ମଟି ବିଶେଷ ପ୍ରତିକ୍ରିୟା ପାଇ ନ ଥିଲା, କିନ୍ତୁ କଙ୍ଗନାଙ୍କ ଲୁକ ଏବଂ ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା।
‘ଇମରଜେନ୍ସି’ ହେଉଛି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ। ଏହି ଫିଲ୍ମରେ ଅଭିନୟ କରିବା ସହିତ କଙ୍ଗନା ରାନାୱତ ମଧ୍ୟ ନିର୍ଦ୍ଦେଶନା ଏବଂ ପ୍ରଡକ୍ସନ ଦାୟିତ୍ୱ ତୁଲାଉଛନ୍ତି। ଏହି ଫିଲ୍ମଟି ୨୦୨୩, ଜୁନ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Related Articles

Back to top button