ରଣବୀରଙ୍କ ଉପରେ ପ୍ରଶଂସକ ଖପ୍ପା

ସେପ୍ଟେମ୍ବର ୯ ତାରିଖରେ ପରଦାକୁ ଆସିବ ‘ବ୍ରହ୍ମାସ୍ତ୍ର’

ରଣବୀର କପୁରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହାକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଥିବା ବେଳେ ଟ୍ରେଲରର ଟିକ୍‌ନିକ୍‌ କଥାକୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି। ଇତି ମଧ୍ୟରେ କିଛି ଦର୍ଶକଙ୍କ ଧ୍ୟାନ ଯାଇଛି ରଣବୀର କପୁରଙ୍କ ଶିବା ଚରିତ୍ର ଉପରକୁ, ଯିଏ କି ଜୋତା ପିନ୍ଧି ମନ୍ଦିର ଘଣ୍ଟି ବଜାଉଥିବା ଦେଖିବାକୁ ମିଳିଛି। ଏବେ ଏହାକୁ ନେଇ ନାରାଜ ହୋଇଛନ୍ତି କିଛି ପ୍ରଶଂସକ। ଏହା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ମଧ୍ୟ କହିଛନ୍ତି ଦର୍ଶକ।

ଫିଲ୍ମର ଟ୍ରେଲରରେ ରଣବୀର କପୁର ମନ୍ଦିରରେ ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ନଜରକୁ ଆସିବା ପରେ ରାଗି ଖପ୍ପା ହୋଇଛନ୍ତି ଦର୍ଶକ। ଅନେକ ସୋସିଆଲ ମିଡିଆ ୟୁଜର ରଣବୀର ଓ ‘ବ୍ରହ୍ମାସ୍ତ୍ର’ର ନିର୍ମାତାଙ୍କୁ ଗାଳି ମଧ୍ୟ କରିଛନ୍ତି। କିଛି ୟୁଜରଙ୍କ କହିବା କଥା, ଟ୍ରେଲରଟି ଭଲ ଥିଲା କିନ୍ତୁ ନିର୍ମାତା ଏହି ଜୋତା ଦୃଶ୍ୟ ପ୍ରତି ଧ୍ୟାନ ଦେବା ଉଚିତ ଥିଲା। ଅପରପକ୍ଷେ ଆଉ ଜଣେ ୟୁଜର ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ୍‌ କରି କହିଛନ୍ତି, ଏହା ଦ୍ବାରା ଲୋକଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ କରାଯାଇଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସୂଚନାଯୋଗ୍ୟ, ରଣବୀର କପୁର-ଆଲିଆ ଭଟ୍ଟ ଅଭିନୀତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି ଅୟାନ ମୁଖାର୍ଜୀ। ଚଳିତ ବର୍ଷ ସେପ୍ଟେମ୍ବର ୯ ତାରିଖରେ ପରଦାକୁ ଆସିବ ‘ବ୍ରହ୍ମାସ୍ତ୍ର’।

Related Articles

Back to top button