‘ସତ୍ୟପ୍ରେମ କି କଥା’ ଫିଲ୍ମରେ କାର୍ତ୍ତିକ୍‌ ଆର୍ଯ୍ୟନ୍‌ଙ୍କ ସହ ସ୍କ୍ରିନ୍‌ ସେୟାର କରିବେ କିଆରା ଆଡଭାନି

ମୁମ୍ଵାଇ: ୨୦୧୬ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଏମ୍‌. ଏସ୍‌ ଧୋନି: ଦ ଅନଟୋଲ୍ଡ ଷ୍ଟୋରି’ ମାଧ୍ୟମରେ ବେଶ୍‌ ପରିଚିତି ହାସଲ କରିଥିଲେ ଅଭିନେତ୍ରୀ କିଆରା ଆଡଭାନି । ତା’ ପରେ ରିଲିଜ୍‌ ହୋଇଥିବା ‘ମେସିନ୍‌’, ‘କବିର ସିଂହ’, ‘ଗୁଡ୍‌ ନ୍ୟୁଜ୍‌’, ‘ଶେରଶାହ’, ‘ଭୁଲ୍‌ ଭୁଲୈୟା-୨’ଭଳି ଫିଲ୍ମ କିଆରାଙ୍କୁ ବଲିଉଡ୍‌ର ଶୀର୍ଷରେ ପହଞ୍ଚାଇଥିଲା । ‘ଭୁଲ୍‌ ଭୁଲୈୟା-୨’ ପରେ କିଆରା ଏବେ ପୁଣି ଥରେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହିତ ସ୍କ୍ରିନ୍‌ ସେୟାର କରିବେ । ସମୀର ବିଦ୍ୱାନ୍‌ଙ୍କ ‘ସତ୍ୟପ୍ରେମ କୀ କଥା’ରେ ଉଭୟଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ।

ଏ ନେଇ ଏକ ସାକ୍ଷାତକାରରେ କିଆରା କହିଛନ୍ତି, କାର୍ତ୍ତିକଙ୍କ ସହ କାମ କରିବାକୁ ନେଇ ମୁଁ ଖୁବ୍‌ ଉତ୍ସାହିତ । କୋ-ଷ୍ଟାର ଭାବେ ତାଙ୍କ ସହିତ ମୋର ବହୁତ ଭଲ ସଂପର୍କ। ‘ଭୁଲ୍‌ ଭୁଲୈୟା-୨’ରେ ଦର୍ଶକ ଆମ ଯୋଡ଼ିକୁ ପସନ୍ଦ ମଧ୍ୟ କରିଥିଲେ । ‘ସତ୍ୟପ୍ରେମ କି କଥା’ ଲାଗି ଆମେ ସୁଟିଂ ଆରମ୍ଭ କରିଛୁ । ଏହା ଏକ ଭିନ୍ନ ରୋମାଣ୍ଟିକ୍‌ ଫିଲ୍ମ । ଏଥିରେ କାର୍ତ୍ତିକ ‘ସତ୍ୟ’ ଭୂମିକାରେ ଅଭିନୟ କରୁଥିବା ବେଳେ ମୁଁ ତାଙ୍କ ପ୍ରେମିକା ‘କଥା’ ଭୂମିକାରେ ନଜର ଆସିବି।

ଆମେ ଦୁହେଁ ଧମାଲ୍‌ କରିବା ସହିତ ଏହି ଫିଲ୍ମ ମୋ’ କ୍ୟାରିୟରକୁ ଆଉ ଏକ ନୂଆ ମୋଡ଼ ଦେବ ବୋଲି ଆଶା ଅଛି । ଫିଲ୍ମଟି ଆସନ୍ତାବର୍ଷ ଜୁନ୍‌ ମାସରେ ରିଲିଜ୍‌ ହେବ। ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ‘ସତ୍ୟପ୍ରେମ କୀ କଥା’ ବ୍ୟତୀତ କିଆରାଙ୍କୁ ‘ଗୋବିନ୍ଦା ନାମ ମେରା’ରେ ଦେଖିବାକୁ ମିଳିବ। କିଆରାଙ୍କ ବିପକ୍ଷରେ ନଜର ଆସିବେ ଭିକି କୌଶଲ ।ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଶଶାଙ୍କ ଖୈତାନ୍‌ ।

Related Articles

Back to top button