
ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ପ୍ରତାପ ପୋଥେନ୍ଙ୍କ ପରଲୋକ
ଚେନ୍ନାଇ: ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ପ୍ରତାପ ପୋଥେନ୍ଙ୍କ ପରଲୋକ। ଶୁକ୍ରବାର(ଜୁଲାଇ ୧୫) ୬୯ ବର୍ଷ ବୟସରେ ଚେନ୍ନାଇ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଛି। ପ୍ରତାପ ତାଙ୍କ ଝିଅ କେୟା ପୋଥେନଙ୍କ ସହ ଚେନ୍ନାଇରେ ରହୁଥିଲେ।
୧୯୫୨ ଅଗଷ୍ଟ ୧୩ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରତାପ ପୋଥେନ୍ ୧୯୮୫ରେ ରାଧିକା ସରତକୁମାରଙ୍କୁ ବିବାହ କରିଥିଲେ। ହେଲେ ବିବାହର ଗୋଟିଏ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ।
ଏହାପରେ ପ୍ରତାପ ୧୯୯୦ରେ ଅମଲା ସତ୍ୟାନଥ ପୋଥେନ୍ଙ୍କୁ ବିବାହ କରିଥିଲେ ବି ୨୦୧୨ରେ ଅମଲାଙ୍କର ବିୟୋଗ ହୋଇଥିଲା। ଅମଲା ଓ ପ୍ରତାପଙ୍କର ଝିଅ ହେଲେ କେୟା ପୋଥେନ। ସେ ବାପା ପ୍ରତାପଙ୍କ ସହ ରହୁଥିଲେ।
ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର ଲମ୍ବା କ୍ୟରିୟର ମଧ୍ୟରେ ସେ ଏକାଧିକ ଭାଷାରେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ମାଲାୟାଲମ, ତାମିଲ, ତେଲଗୁ ଓ ହିନ୍ଦୀ ସିନେମାରେ ବି ଅଭିନୟ କରିଛନ୍ତି ଶ୍ରୀ ପୋଥେନ। କେବଳ ଅଭିନୟ ନୁହେଁ ସେ ଫିଲ୍ମରେ ସ୍କ୍ରିପ୍ଟ ଲେଖିବା ସହ ନିର୍ଦ୍ଦେଶନା ବି ଦେଇଛନ୍ତି। ତା ସହ ଅନେକ ଫିଲ୍ମର ପ୍ରଯୋଜନା ବି କରିଛନ୍ତି ପ୍ରତାପ।
୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ଭରଥନ୍ସ ଅରଭମରୁ ଫିଲ୍ମରୁ ସେ ଅଭିନେତା ଓ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ। ସେହିଭଳି ଠକାରା, ମୀଣ୍ଡମ ଓରୁ କନ୍ଧଲ କନ୍ଧାଇ, ୨୨ ଫିମେଲ୍ କୋଟ୍ଟାୟାମ ଏବଂ ଚମରମରେ ସେ ଅଭିନୟ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି। ସେହିଭଳି ରିତୁଭେହେଡାମ, ଓରୁ ୟୃାଥ୍ରାମୋଝୀ, ଚୈତନ୍ୟ ଏବଂ ଡେସୀ ଆଦି ୧୨ଟି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ପ୍ରତାପ।