କାର ସିଟରୁ ହଟାନ୍ତୁ ନାହିଁ ହେଡରେଷ୍ଟ୍, ଆରାମ ସହିତ ନିରାପତ୍ତା ଲାଗି ମଧ୍ୟ ଗୁରୁତ୍ୱପୂର୍ଣ୍ଣ

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ କାର ସୁରକ୍ଷା ପ୍ରସଙ୍ଗ ଉପରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ କାରରେ ସିଟ୍ ବେଲ୍ଟ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ କାରର ଅନ୍ୟାନ୍ୟ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍। ଆପଣ ଜାଣନ୍ତି କି ଆମ କାରର ସିଟରେ ଥିବା ହେଡରେଷ୍ଟ୍ ମଧ୍ୟ ନିରାପତ୍ତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ସିଟରେ ଥିବା ଏହି ହେଡରେଷ୍ଟକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ। କିଛି ଲୋକେ ଏହା ଏକ ଆରାମ ଦେଉଥିବା ବସ୍ତୁ ବୋଲି ମନେ କରୁଥିବା ବେଳେ କିଛି ଲୋକେ ହେଡରେଷ୍ଟକୁ ସିଟରୁ ବାହାର କରିଦିଅନ୍ତି। ହେଡରେଷ୍ଟ୍ କାମ କେବଳ ଆରାମ ପାଇଁ ନଥାଏ, ଏହା ଆମର ସୁରକ୍ଷା ପାଇଁ ବ୍ୟବହାର କରାଯାଏ। ଆପଣଙ୍କ ମୁଣ୍ଡର ସୁରକ୍ଷା ଯୋଗାଇଥିବା ବେଳେ ଦୁର୍ଘଟଣା ବେଳେ ଆପଣଙ୍କ ମୁଣ୍ଡ ପଛକୁ ଯିବାକୁ ଦିଏ ନାହିଁ।

କିଛି ବର୍ଷ ପୂର୍ବେ ଇଣ୍ଟରନେଟରେ ଏକ ସୂଚନା ଭାଇରାଲ ହୋଇଥିଲା। କୁହାଯାଉଥିଲା ଯେ ଜରୁରୀକାଳୀନ ପରିସ୍ଥିତିରେ ଆପଣ ଗାଡିର ଗ୍ଲାସ ଭାଙ୍ଗିବା ପାଇଁ ହେଡରେଷ୍ଟ୍ ବ୍ୟବହାର କରିପାରିବେ। ଏହା ଭୁଲ ସୂଚନା। ଏପରି ଭୁଲରେ କରିବା ଉଚିତ୍ ନୁହେଁ। କାରଣ କାରର ୱିଣ୍ଡସ୍କ୍ରିନ୍ ଏବଂ ୱିଣ୍ଡୋରେ ବ୍ୟବହୃତ ଗ୍ଲାସ୍ ଏପରି ଭାବରେ ଡିଜାଇନ୍ ହୋଇଛି ଯେ ସେଗୁଡିକ ଭାଙ୍ଗିବା କଷ୍ଟକର। ହେଡରେଷ୍ଟ୍ ଦ୍ୱାରା କାଚ ଭାଙ୍ଗିବା ଅସମ୍ଭବ। କାରର ହେଡରେଷ୍ଟ୍ ରିମୁବେଭଲ ରଖାଯାଇଛି କାରଣ ଆପଣ ଏହାକୁ ମଇଳା ହେଲେ ସଫା କରିପାରିବେ।

ଅଷ୍ଟ୍ରେଲସିଆନ ନ୍ୟୁ କାର୍ ଆସେସମେଣ୍ଟ ପ୍ରୋଗ୍ରାମ ( ANCAP ସେଫଟି) ଅନୁଯାୟୀ, ଏକ ଦୁର୍ଘଟଣାରେ ବେକର ହାଇପର-ଏକ୍ସଟେନ୍ସନକୁ ରୋକିବା ହେଉଛି ହେଡରେଷ୍ଟର ଉଦ୍ଦେଶ୍ୟ। ଯଦି ହଠାତ ଦୁର୍ଘଟଣା ହୁଏ ତେବେ ସିଟରେ ଥିବା ଏୟାର ବ୍ୟାଗ୍ ଖୋଲିବା ସହ ଆପଣଙ୍କ ମୁଣ୍ଡ ପଛ ସିଟରେ ବାଡେଇ ହେବ। ତେଣୁ ସିଟରେ ହେଡରେଷ୍ଟ୍ ଥିଲେ ଆପଣଙ୍କ ମୁଣ୍ଡକୁ ସୁରକ୍ଷା ଦେବ। ଦୁର୍ଘଟଣା ସମୟରେ ଏହା ଆପଣଙ୍କ ବେକକୁ ବଞ୍ଚାଇବାର ଏକମାତ୍ର ଉଦ୍ଦେଶ୍ୟ ସହିତ ଡିଜାଇନ୍ କରାଯାଇଛି। ତେଣୁ କାର ସିଟରୁ ହେଡରେଷ୍ଟକୁ କେବେ ବି ହଟାନ୍ତୁ ନାହିଁ।

Related Articles

Back to top button