ବର୍ଷାଦିନିଆ ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ର ଘରୋଇ ଉପଚାର

ବର୍ଷାଦିନେ ଅନେକଙ୍କଠାରେ ଫଙ୍ଗାଲ ଇନ୍‌ଫେକ୍ସନ ସମସ୍ୟା ଦେଖାଦିଏ। ଏଥିପାଇଁ ଶରୀରର ବିଭିନ୍ନ ସ୍ଥାନରେ ବିଶେଷ କରି ଜଙ୍ଘ କଡ଼ରେ ଫଳିଯାଇ କୁଣ୍ଡେଇ ହୋଇଥାଏ। କେତେକ ଘରୋଇ ଉପଚାର ଦ୍ୱାରା ଏଭଳି ସମସ୍ୟା ଦୂର କରାଯାଇପାରିବ…

ଜଙ୍ଘ କଡ଼ରେ କୁଣ୍ଡାଇ ହେବା ମୁଖ୍ୟତଃ ଫଙ୍ଗାଲ ଇନ୍‌ଫେକ୍ସନ ଯୋଗୁ ହୋଇଥାଏ। ଯେଉଁଥିପାଇଁ ଅଧିକ ଟାଇଟ୍‌ ପ୍ୟାଣ୍ଟ ପିନ୍ଧିବା, ଝାଳ ଲାଗି ଅଧିକ ସମୟ ରହିବା, ଗାଧୋଇବା ପରେ ଭଲ ଭାବେ ପାଣି ପୋଛି ନ ହୋଇ ପୋଷାକ ପିନ୍ଧିବା ଯୋଗୁ ଓଦା ରହିବା, ମେଦବହୁଳତା ଥିଲେ ବାରମ୍ବାର ଜଙ୍ଘ ଘଷିହେବା ଆଦି ବିଭିନ୍ନ କାରଣ ଦାୟୀ। ତେଣୁ ଏସବୁଠାରୁ ଦୂରେଇ ରହିବା ଲାଗି ଚେଷ୍ଟା କରିବା ସହ ଇନ୍‌ଫେକ୍ସନ୍‌ ଦୂର କରିବା ଲାଗି ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକସ୍ଥଳେ ଔଷଧ ଏବଂ ଅଏଣ୍ଟମେଣ୍ଟ ବ୍ୟବହାର କରିବା ଆବଶ୍ୟକ। ଏହା ବ୍ୟତୀତ ଆପଣ ଚାହିଁଲେ କେତୋଟି ଘରୋଇ ଉପଚାର ମଧ୍ୟ କରିପାରିବେ। ଜାଣିରଖନ୍ତୁ ସେ ସମ୍ପର୍କରେ…
ଏପରି ସମସ୍ୟା ଥିଲେ ଅନେକେ ପାଉଡର ପକାଇ ଥାଆନ୍ତି କିମ୍ବା ମନଇଚ୍ଛା କୌଣସି କ୍ରିମ୍‌ ଲଗାଇ ଦିଅନ୍ତି। ହେଲେ ଏପରି କରିବା ଦ୍ୱାରା ସମସ୍ୟା କମିବା ବଦଳରେ ବଢ଼ିବା ଆଶଙ୍କା ରହିଛି। ତେଣୁ ଏପରି ନ କରି ଆପଣ ଚାହିଁଲେ ତୁରନ୍ତ ଆରାମ ପାଇବା ଲାଗି ନଡ଼ିଆ ତେଲ କିମ୍ବା ଅଲିଭ୍‌ ତେଲ ଲଗାଇ ପାରିବେ।
ଏକ ସଫା କପଡ଼ାରେ ବରଫ ଖଣ୍ଡ ନେଇ ଜଙ୍ଘରେ କୁଣ୍ଡାଇ ହେଉଥିବା ଭାଗରେ ଧୀରେ ଧୀରେ ଘଷିବା ଦ୍ୱାରା କୁଣ୍ଡାଇହେବା ଏବଂ ପୋଡ଼ିବା କମିଥାଏ।
ପାଣିରେ ଅଳ୍ପ ଖାଇବା ସୋଢ଼ା ମିଶାଇ କୁଣ୍ଡାଇ ହେଉଥିବା ସ୍ଥାନକୁ ଧୋଇଦେଲେ ମଧ୍ୟ ଆରାମ ମିଳିଥାଏ।
ଘିକୁଆଁରୀକୁ ୧୫ମିନିଟ୍‌ ପର୍ଯ୍ୟନ୍ତ ଘଷିବା ପରେ ପାଣିରେ ଧୋଇଦିଅନ୍ତୁ, କୁଣ୍ଡାଇ ହେବା କମିଯିବ।
ପାଣିରେ ନିମ୍ବପତ୍ର ପକାଇ ଫୁଟାଇ ଦିଅନ୍ତୁ। ଏହି ପାଣିରେ ଗାଧୋଇବା ଦ୍ୱାରା ଫଙ୍ଗାଲ୍‌ ଇନ୍‌ଫେକ୍ସନ ଦୂରହେବା ସହ କୁଣ୍ଡେଇହେବା ସମସ୍ୟାରୁ ମୁକ୍ତି ମିଳିଥାଏ।
ହଳଦୀପାଣିରେ ଗାଧୋଇବା କିମ୍ବା ଉକ୍ତ ସ୍ଥାନରେ ଅଳ୍ପ ବଟା ହଳଦୀ ଲଗାଇବା ଦ୍ୱାରା ଉପଶମ ମିଳିଥାଏ।

Related Articles

Back to top button