ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ନୂଆପଡ଼ା: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଭାବ ଓ ଭାଇଚାରାର ପର୍ବ ନୂଆଖାଇ ପାଇଁ ଲୋକଙ୍କ ମନରେ ଉତ୍ସାହ । ବର୍ଷକର ଏହି ପର୍ବ ପାଇଁ ନୂଆପଡ଼ା ଜିଲ୍ଲା ବାସୀ ପ୍ରସ୍ତୁତ। ନୂଆଖାଇ ପାଇଁ ବଜାରରେ ଭିଡ଼ ଜମୁଛି। ବିଶେଷ କରି ମାଟିର ହାଣ୍ଡି ଓ ଦୀପ କିଣିବାକୁ ଲୋକେ ଭିଡ଼ ଜମାଉଛନ୍ତି। ନୂଆ ହାଣ୍ଡିରେ ନୂଆ ଧାନ ଭାଜି ଚୂଡ଼ା ପ୍ରସ୍ତୁତ ହେବ। ନୂଆ ମାଟି ଦୀପରେ ପିତୃ ପୁରୁଷ ଓ ଘରର ଦେବଦେବୀଙ୍କୁ ପୂଜା କରାଯିବ।

ଭାବର ପର୍ବ ନୂଆଖାଇ ପାଇଁ ଲୋକଙ୍କ ମନରେ ଉତ୍ସାହ ରହିଛି। ବଜାରରେ ନୂଆ ଧାନ ଓ ଚୂଡ଼ା ପାଇଁ ଗହଳି ହେଉଥିବା ବେଳେ ପତ୍ର ତିଆରି ଖଲି ଓ ଦନାର ପସରା ମେଲାଇଛନ୍ତି ଦୋକାନୀ। ଉତ୍ସାହ ଉଦ୍ଦୀପନାର ସହ ଲୋକେ ନୂଆ ଖାଇବାକୁ ଅପେକ୍ଷା କରିଛନ୍ତି। ନୂଆଖାଇ ପାଇଁ ବାହାରେ ରହୁଥିବା ଲୋକ ଜନ୍ମ ମାଟିକୁ ଫେରିଛନ୍ତି। ଗୁରୁବାର ସକାଳେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନିଜ ନିଜ ଇଷ୍ଟଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ନବାନ୍ନ ଅର୍ପଣ କରି ନବାନ୍ନ ଭକ୍ଷଣ କରିବେ ସମସ୍ତେ।

ପରମ୍ପରା ଅନୁଯାୟୀ ବଡ଼ ମାନଙ୍କୁ ଛୋଟ ମାନେ ମୁଣ୍ଡିଆ ମାରି ଆଶୀର୍ବାଦ ନେବା ସହ ସମବୟସ୍କ ବ୍ୟକ୍ତି ନିଜ ନିଜ ମଧ୍ୟରେ ଭାବର ଆଦାନପ୍ରଦାନ ହେବେ। ଗତ ଦୁଇ ବର୍ଷ କରୋନା ମହାମାରୀ ପାଇଁ ନୂଆଖାଇ ଟିକେ ଫିକା ପଡ଼ିଥିବା ବେଳେ ଚଳିତ ବର୍ଷ ଉତ୍ସାହର ସହ ପାଳନ ନେଇ ସମସ୍ତେ ଆଶାବାଦୀ।

Related Articles

Back to top button