ମଧ୍ୟପ୍ରଦେଶରେ ମହିଳା ଓ ଶିଶୁଙ୍କ ପୋଷଣ ଯୋଜନାରେ ୧୧୦.୮୩ କୋଟିର ଦୁର୍ନୀତି ଧରିଲେ ଏଜି

ଭୋପାଳ: ମଧ୍ୟପ୍ରଦେଶରେ ମହିଳା ଓ ଶିଶୁଙ୍କ ପୋଷଣ ଯୋଜନାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଛି। ୧୧୦.୮୩ କୋଟି ଟଙ୍କାର ଖାଦ୍ୟଶସ୍ୟ ବଣ୍ଟନ ସମ୍ପର୍କରେ ଭୁଲ୍‌ ତଥ୍ୟ ଦିଆଯାଇଥିବା ରାଜ୍ୟ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅଡିଟ୍‌ରୁ ଧରାପଡ଼ିଛି। ୨୦୨୦ରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧୀନରେ ମହିଳା ଓ ଶିଶୁ ବିକାଶ ବିଭାଗ ରହିଥିବାରୁ ଏହି ଦୁର୍ନୀତି ପାଇଁ ତାଙ୍କ ଉପରକୁ ଅଙ୍ଗୁଳି ଉଠିଛି। ଏଜି ଦାଖଲ କରିଥିବା ୩୬ ପୃଷ୍ଠାର ରିପୋର୍ଟରେ ହିତାଧିକାରୀ ଚୟନ, ଖାଦ୍ୟ ସାମଗ୍ରୀ ଉତ୍ପାଦନ, ବଣ୍ଟନ ଓ ମାନ ନିର୍ଦ୍ଧାରଣରେ ବ୍ୟାପକ ଜାଲିଆତି ହୋଇଥିବା ଦର୍ଶାଯାଇଛି। ୨୦୨୧ରେ ଟେକ୍‌ ହୋମ୍‌ ରାଶନ ଯୋଜନାରେ ୨୪% ହିତାଧିକାରୀଙ୍କ ଯାଞ୍ଚ ପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୪୯.୫୮ ଲକ୍ଷ ପଞ୍ଜୀକୃତ ଶିଶୁ ଓ ମହିଳାଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା। ସେଥିରେ ୬ ମାସରୁ ୩ ବର୍ଷ ବୟସର ୩୪.୬୯ ଲକ୍ଷ ଶିଶୁ ଥିବାବେଳେ ୧୪.୨୫ ଲକ୍ଷ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ୦.୬୪ ଲକ୍ଷ କିଶୋରୀ ଥିଲେ। ତେବେ ପ୍ରାୟ ୧୨ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଦର୍ଶାଯାଇଥିବା ଅଡିଟର ଜାଣିବାକୁ ପାଇଛନ୍ତି। ଖାଦ୍ୟଶସ୍ୟ ଯୋଗାଉଥିବା ୬ଟି ଉତ୍ପାଦନ ଶିଳ୍ପ ଟ୍ରକ୍‌ ଜରିଆରେ ୧,୧୨୫.୬୪ ମେଟ୍ରିକ ଟନ୍‌ ରାଶନ ପରିବହନ କରିଛନ୍ତି ଓ ଏଥିରେ ୬.୯୪ କୋଟି ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି। କିନ୍ତୁ ପଞ୍ଜୀକୃତ ନମ୍ବର ଟ୍ରକ୍‌ ପରିବର୍ତ୍ତେ ମୋଟରସାଇକେଲ, କାର, ଅଟୋ ଏବଂ ଟ୍ୟାଙ୍କରର ବୋଲି ପରିବହନ ବିଭାଗରେ ଯାଞ୍ଚରୁ ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳା ଓ ଶିଶୁ ବିକାଶ ବିଭାଗ ରାଶନ ପାଇଁ ଯୋଗ୍ୟ ସ୍କୁଲ୍‌ ଛାତ୍ରୀଙ୍କ ସର୍ଭେ ୨୦୨୧ ଫେବୃୟାରୀ ସୁଦ୍ଧା ସମ୍ପୂର୍ଣ୍ଣ କରିନାହିଁ। ୨୦୧୮-୧୯ରେ ୯,୦୦୦ ଛାତ୍ରୀ ଅଧାରୁ ପାଠ ଛାଡ଼ିଥିବା ସ୍କୁଲ ଶିକ୍ଷା ବିଭାଗ ଆକଳନ କରିଥିବାବେଳେ ମହିଳା ଓ ଶିଶୁ ବିକାଶ ବିଭାଗ ବିନା ସର୍ଭେରେ ଏହାକୁ ୩୬.୦୮ ଲକ୍ଷ ଦର୍ଶାଇଛି।

Related Articles

Back to top button