ଭାଲୁ ସହ ଲଢ଼ି ବାପାଙ୍କୁ ରକ୍ଷା କଲା ଝିଅ

ସିରୋହୀ: ରାଜସ୍ଥାନର ସିରୋହୀ ଜିଲ୍ଲାରେ ଏକ ଝିଅର ସାହସକୁ ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି । କୃଷକ କରମା ରାମ ଚୌଧୁରୀଙ୍କୁ ହଠାତ ଏକ ଭାଲୁ ରାତି ଅଧରେ ଆକ୍ରମଣ କରିଥିଲା। ଘରକୁ ଲାଗି ଏହି ଜମି ଥିବାରୁ ଫସଲର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପରିବାର ସଜାଗ ରହିଥାନ୍ତି । ୫୦ ବର୍ଷୀୟ ରାମ ବାହାରେ ଶୋଇଥିବା ବେଳେ ତାଙ୍କ ପତ୍ନୀ ଏବଂ ଝିଅ ଘର ଭିତରେ ଥିଲେ । ହଠାତ ରାତି ୩ଟାରେ ବାପାଙ୍କ ଚିତ୍କାର ଏବଂ କୁକୁର ଶବ୍ଦ ଶୁଣି ମାଆ ଏବଂ ଝିଅ ଜୋଶନା ବାହାରକୁ ଦୌଡି ଆସିଥିଲେ । ସେତେବେଳକୁ ଭାଲୁ ବାରମ୍ବାର ଆକ୍ରମଣ କରି ରାମଙ୍କୁ ଅଧମରା କରି ଦେଇଥିଲା । ଏହା ଦେଖି ଜୋଶନା ପ୍ରଥମେ ଭୟଭୀତ ହୋଇଥିଲେ ମାତ୍ର ପରେ ସାହାସ ଜୁଟାଇ ଭାଲୁ ସହ ମୁକାବିଲା କରିଥିଲେ। ସେ ପାଖରେ ଥିବା ଏକ ବାଡିରେ ଭାଲୁକୁ ପିଟିବାକୁ ଲାଗିଥିଲେ। ଅନ୍ଧାର ଯୋଗୁ ଭାଲୁ ଭଲ ଭାବେ ଦେଖିପାରୁ ନ ଥିଲା। ଜୋଶନାର ମାଆ ମଧ୍ୟ ଭାଲୁ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରି ଦେଇଥିଲେ।

ପାଖାପାଖି ୧୦ ମିନିଟ ସଂଘର୍ଷ ପରେ ଭାଲୁ ଜଙ୍ଗଲକୁ ପଳାଇ ଯାଇଥିଲା। ଜୋଶନା ଏହା ପରେ ଅନ୍ୟମାନଙ୍କ ସହାୟତାରେ ବାପାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ଏବେ ସେ ବିପଦମୁକ୍ତ ଅଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣା ପ୍ରଚାରିତ ହେବା ପରେ ସମସ୍ତେ ଏହି ସାହାସୀ ଝିଅଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ମୋ ମୁଣ୍ଡକୁ ଗୋଟିଏ କଥା ଜୁଟିଥିଲା ଯାହା ବି ହେଉ ବାପାଙ୍କୁ ଭାଲୁ କବଳରୁ ରକ୍ଷା କରିବି। ଯୋଶନା ୮ମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ତାଙ୍କ ଘରଠାରୁ ସ୍କୁଲ ବହୁତ ଦୂର ହୋଇଥିବାରୁ ସେ ପାଠପଢ଼ା ଅଧାରୁ ଛାଡି ଦେଇଛନ୍ତି।

 

Related Articles

Back to top button