ପ୍ରତିଦ୍ଵନ୍ଦ୍ଵୀ କମ୍ପାନୀ ପାଇଁ କାମ କରୁଥିବା କାରଣରୁ ୩୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କଲା ଓ୍ଵିପ୍ରୋ

ନୂଆଦିଲ୍ଲୀ: ଆଇଟି ସେକ୍ଟରର ପ୍ରତିଷ୍ଠିତ କମ୍ପାନି ଓ୍ଵିପ୍ରୋ ମୁନଲାଇଟିଂ ଅର୍ଥାତ ପ୍ରତିଦ୍ଵନ୍ଦ୍ଵୀ କମ୍ପାନୀ ପାଇଁ କାମ କରୁଥିବା କାରଣରୁ ୩୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଛି। ବୁଧବାର ଏହାର ସୂଚନା ଓ୍ଵିପ୍ରୋର ଅଧ୍ୟକ୍ଷ ଋଷଦ ପ୍ରେମଜୀ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ପ୍ରେମଜୀ କହିଛନ୍ତି, ଗତ କିଛି ମାସରେ ଆମେ ୩୦୦ ଲୋକଙ୍କୁ ଚିହ୍ନଟ କରିଥିଲୁ ଯେଉଁମାନେ ସମାନ ସମୟରେ ଅନ୍ୟ କମ୍ପାନି ପାଇଁ କାମ କରୁଥିଲେ। ଏହି କର୍ମଚାରୀମାନଙ୍କୁ କମ୍ପାନିରୁ ବହିଷ୍କାର କରାଯାଇଛି।

ପ୍ରଥମ ଥର କୌଣସି ଆଇଟି କମ୍ପାନି ମୁନଲାଇଟିଂ କାରଣରୁ ବ୍ୟାପକ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ କରିଛି। ମୁନଲାଇଟିଂ କମ୍ପାନି ସହ ଏକ ପ୍ରକାର ଧୋକା ବୋଲି ପୂର୍ବରୁ ଓ୍ଵିପ୍ରୋ  ଅଧ୍ୟକ୍ଷ ଋଷଦ ପ୍ରେମଜୀ କହିଥିଲେ।

ଯେବେ କୌଣସି କର୍ମଚାରୀ ନିଜର ନିୟମିତ ଚାକିରି ବ୍ୟତୀତ ଅଧିକ ରୋଜଗାର ଉଦ୍ଦେଶ୍ୟରେ ଅନ୍ୟ କୌଣସି ସଂସ୍ଥା ପାଇଁ କାମ କରିଥାଏ, ତାକୁ ମୁନଲାଇଟିଂ କୁହାଯାଏ। କରୋନା ସମୟରେ ଏହାର ପ୍ରଚଳନ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆଇଟି କମ୍ପାନିରେ ଓ୍ଵାର୍କ ଫ୍ରମ ହୋମ୍ କାରଣରୁ କର୍ମଚାରୀଙ୍କୁ ମୁନଲାଇଟିଂର ସୁଯୋଗ ମିଳିଥିଲା।

ଆଇଟି କ୍ଷେତ୍ରରେ ମୁନଲାଇଟିଂର ବଢୁଥିବା ପ୍ରଚଳନ ନୂତନ ବିତର୍କକୁ ଜନ୍ମ ଦେଇଛି। ବିଗତ ଦିନରେ ଇନଫୋସିସ ମଧ୍ୟ ନିଜ କର୍ମଚାରୀଙ୍କୁ ମୁନଲାଇଟିଂକୁ ନେଇ ଚେତାବନୀ ଦେଇଥିଲେ। ଅନ୍ୟପକ୍ଷେ ଆଇବିଏମ ଏବଂ ଟିସିଏସ ମଧ୍ୟ ମୁନଲାଇଟିଂକୁ ନେଇ କଡା ଆପତ୍ତି ପ୍ରକାଶ କରି ସାରିଛନ୍ତି।

Related Articles

Back to top button