ବନ୍ୟା ପ୍ରବଣ ଅଞ୍ଚଳରେ ଅଧିକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ

ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ସ୍ୱୀକୃତି ହାସଲ କରିଛି ଓଡ଼ିଶା । ଏହା ସହ ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ିଭୁତ ଏବଂ ଶାଣିତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଛି । ବନ୍ୟା ପ୍ରବଣ ଅଞ୍ଚଳରେ ଅଧିକ ବନ୍ୟା-ଆଶ୍ରୟସ୍ଥଳୀ ନିର୍ମାଣ ହେବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ଲୋକସେବା ଭବନରୁ ଭିସି ଜରିଆରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ଦୃତ ପରିବର୍ତ୍ତନଶୀଳ ଜଳବାୟୁ ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ ଓ ଶାଣିତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଛି । ଏଥି ପାଇଁ ଓଡ଼୍ରାଫ, ଅଗ୍ନିଶ୍ରମ ସେବା ୟୁନିଟ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ୟୁନିଟ ଗୁଡିକୁ ଅତ୍ୟାଧୂନିକ ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦିଆଯିବ । ନିୟମିତ ବ୍ୟବଧାନରେ ତାଲିମ ଦିଆଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ । ସମ୍ଭାବ୍ୟ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ନିମନ୍ତେ ବଡ଼ ବଡ଼ ସହରମାନଙ୍କରେ ଥିବା ଡ୍ରେନ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଠିକ ଭାବେ ସଂଯୋଜିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡ଼୍ରେନ ଉପରୁ ଜବରଦଖଲ ଉଚ୍ଛେଦ, ଡ୍ରେନ ପ୍ରଶସ୍ତିକରଣ ଏବଂ ସଂଯୋଗୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରବଣ ଅଞ୍ଚଳମାନଙ୍କରେ ଅଧିକ ବନ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ବାରମ୍ବାର ବନ୍ୟାରେ ପ୍ରଭାବିତ ହେଉଥିବା ଏବଂ ଆବଶ୍ୟକ ପରିମାଣର ଆଶ୍ରୟସ୍ଥଳୀ ନଥିବା ଗ୍ରାମ ଚିହ୍ନଟ କରି ସେଠାରେ ବନ୍ୟା-ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button