୨୦ ଟଙ୍କା ଚା’ ଉପରେ ସେବା କର ୫୦ ଟଙ୍କା

ଭାରତୀୟ ରେଲଓ୍ବେ ରସିଦ୍‌ ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୧।୭ : ଭାରତୀୟ ରେଲଓ୍ବେର ଏକ ରସିଦ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରେଲଓ୍ବେ ଜଣେ ଯାତ୍ରୀଙ୍କଠାରୁ ଗୋଟିଏ କପ ଚା‘ ପାଇଁ ୭୦ ଟଙ୍କା ନେଇଛି। ଭୋପାଳ ଶତାବ୍ଦୀ ଏକ୍ସପ୍ରେସରେ ଏଭଳି ଘଟିଛି।

ସୂଚନାନୁସାରେ, ଜୁନ ୨୮ରେ ଜଣେ ବ୍ୟକ୍ତି ଦିଲ୍ଲୀରୁ ଭୋପାଳକୁ ଭୋପାଳ ଶତାବ୍ଦୀ ଏକ୍ସପ୍ରେସ୍‌ରେ ଯାଉଥିଲେ। ସେ ଟ୍ରେନରେ ଚା’ ଅର୍ଡର କରିଥିଲେ। ତେବେ ତାଙ୍କଠାରୁ ଏନେି ୭୦ ଟଙ୍କା ଆଦାୟ କରାଯାଇଥିଲା। ଏଥିପାଇଁ ତାଙ୍କୁ ଏକ ବିଲ ମଧ୍ୟ ଦିଆଯାଇଥିଲା ଯେଉଁଥିରେ ଚା’ର ମୂଲ୍ୟ ୨୦ ଟଙ୍କା ଏବଂ ଅବଶିଷ୍ଟ ୫୦ ଟଙ୍କା ସେବା କର ଲାଗୁ ହୋଇଥିଲା।

ଯାତ୍ରୀ ଜଣକ ଏହି ରସିଦ୍‌ର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହା ପରେ ୟୁଜରମାନେ ଏନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ ।

ଏହି ପ୍ରସଙ୍ଗରେ ରେଲଓ୍ବେ ସ୍ପଷ୍ଟୀକରଣ ଦେଇଛି। ରେଳଓ୍ବେ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀଙ୍କଠାରୁ କୌଣସି ଅତିରିକ୍ତ ଟଙ୍କା ନିଆଯାଇ ନାହିଁ। ୨୦୧୮ର ଭାରତୀୟ ରେଲଓ୍ବେ ସର୍କୁଲାର ବିଷୟରେ କୁହାଯାଇଛି ଯେ ଯଦି ଜଣେ ଯାତ୍ରୀ ଶତାବ୍ଦୀ-ରାଜଧାନୀ ଭଳି ଟ୍ରେନରେ ସଂରକ୍ଷଣ କରିବା ସମୟରେ ଖାଦ୍ୟ ବୁକ ନକରନ୍ତି ଏବଂ ଯାତ୍ରା ସମୟରେ ଚା, କଫି କିମ୍ବା ଖାଦ୍ୟ ଇତ୍ୟାଦି ଅର୍ଡର କରନ୍ତି, ତା’ହେଲେ ତାଙ୍କୁ ସେବା କର ବାବଦରେ ୫୦ ଟଙ୍କା ଦେବାକୁ ପଡ଼ିବ। ଅର୍ଡର ଏକ କପ ଚା’ ପାଇଁ ହେଲେ ମଧ୍ୟ ଯାତ୍ରୀଙ୍କୁ ସେବା କର ଦେବାକୁ ପଡିବ।

ସୂଚନାଯୋଗ୍ୟ, ପୂର୍ବରୁ ରାଜଧାନୀ ଏବଂ ଶତାବ୍ଦୀ ଟ୍ରେନରେ ଖାଦ୍ୟ ସେବା ବାଧ୍ୟତାମୂଳକ ଥିଲା। କିନ୍ତୁ ପରେ ଏହା ଇଚ୍ଛାଧୀନ କରାଯାଇଥିଲା। ଯଦି ଯାତ୍ରୀ ଚାହାଁନ୍ତି, ସେ ଟିକେଟ ବୁକ କରିବା ସମୟରେ ଟ୍ରେନରେ ଖାଦ୍ୟ ଏବଂ ପାନୀୟ ନେବାକୁ ମନା କରିପାରିବେ। ଏଭଳି ପରିସ୍ଥିତିରେ ତାଙ୍କୁ କେବଳ ଟିକେଟ ଚାର୍ଜ ଦେବାକୁ ପଡିବ।

Related Articles

Back to top button