ବେଙ୍ଗାଲୁରୁର ବୀରଭଦ୍ର ନଗରସ୍ଥିତ ଏକ ବସ୍‌ଷ୍ଟାଣ୍ଡରେ ଭୀଷଣ ଅଗ୍ନିକାଣ୍ଡ

ବେଙ୍ଗାଲୁରୁର ବୀରଭଦ୍ର ନଗରସ୍ଥିତ ଏକ ବସ୍‌ଷ୍ଟାଣ୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୮ଟି ବସ୍‌ ଜଳି ପାଉଁଶ ହୋଇଯାଇଛି। ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଗ୍ୟାରେଜ୍‌ରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଅନ୍ୟତ୍ର ବ୍ୟାପି ଯାଇଥିବା ଅନୁମାନ କରାଯାଉଛି। ପାଖରେ ଥିବା ବସ୍‌ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସି ହୁତୁ ହୁତୁ ହୋଇ ଜଳି ଉଠିଥିଲା।

ପ୍ରଥମେ ଗୋଟିଏ ବସ୍‌ ଏବଂ ପରେ ଅନ୍ୟ ବସ୍‌ଗୁଡ଼ିକୁ ନିଆଁ କାବୁ କରିନେଇଥିଲା। ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବସ୍‌ଷ୍ଟାଣ୍ଡରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବାର ଖବର ନାହିଁ।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି। ଘଟଣାସ୍ଥଳରେ ୧୦ଟି ଅଗ୍ନିଶମ ଗାଡ଼ି ଉପସ୍ଥିତ ଅଛି। ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ୧୮ଟି ବସ୍‌ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ଏଠାରେ ଅନେକଗୁଡ଼ିଏ ଜ୍ୱଳନଶୀଳ ସାମଗ୍ରୀ ଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କିନ୍ତୁ ଶର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏଠାରେ ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିଲା। ସଚେତନତା ଅଭାବରୁ ଏହି ଘଟଣା ଘଟିଛି।

Related Articles

Back to top button