ମହର୍ଷି ବାଲ୍ମିକୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଭିନେତା ରାଣା ଜଙ୍ଗ୍‌ ବାହାଦୂର ଗିରଫ

ମୁମ୍ବଇ: ପଞ୍ଜାବୀ ଅଭିନେତା ରାଣା ଜଙ୍ଗ୍‌ ବାହାଦୂରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମହର୍ଷି ବାଲ୍ମିକୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଜଲନ୍ଧର ପୁଲିସ ୬୫ ବର୍ଷୀୟ ଜଙ୍ଗ୍‌ ବାହାଦୂରଙ୍କୁ ବୁଧବାର ଗିରଫ କରିଛି। ଅଭିନେତାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ବାଲ୍ମିକୀଙ୍କୁ ନେଇ ଆପତ୍ତିଜନକ ଶବ୍ଦ ବ୍ୟବହାର କରି ସେ ଏକ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି। ଦିନକ ପୂର୍ବରୁ କୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ। ଜଲନ୍ଧର ଏବଂ ହୋଶିଆରପୁରରେ ବାଲ୍ମିକୀ ଭାଇଚାରା ଦ୍ୱାରା ଲଗାତାର ବିରୋଧ ପରେ ତାଙ୍କ ବିରୋଧରେ ନୂଆ ବାରାଦରୀ ଥାନାରେ ମାମଲା ରୁଜୁ ହୋଇଥିଲା।

ଏହି ମାମଲାରେ କିଛି ଦିନ ପୂର୍ବରୁ ବାଲ୍ମିକୀ ସମ୍ପ୍ରଦାୟର ପ୍ରତିନିଧିମାନେ ଅକାଳୀ ଦଳର ନେତା ଚନ୍ଦନ ଗ୍ରେୱାଲଙ୍କ ନେତୃତ୍ୱରେ ପୁଲିସ କମିଶନର ଗୁରୁଶରଣ ସିଂହ ସାନ୍ଧୁଙ୍କୁ ଭେଟି ରାଣା ଜଙ୍ଗ ବାହାଦୂରଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଜୁଲାଇ ୧୦ ସୁଦ୍ଧା ଅଭିନେତାଙ୍କୁ ଗିରଫ କରା ନଗଲେ ଜୁଲାଇ ୧୧ ରେ ଜଲନ୍ଦର ବନ୍ଦ କରିବାକୁ ବାଲ୍ମିକୀ ସଂଗଠନ ଚେତାବନୀ ଦେଇଥିଲେ। କେବଳ ଏତିକି ନୁହେଁ, ବାଲ୍ମିକୀ ସମ୍ପ୍ରଦାୟର ପ୍ରତିନିଧିମାନେ ବିଭିନ୍ନ ସ୍ଥାନରେ ଅଭିନେତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

Related Articles

Back to top button