ରିମାଣ୍ଡ ଅବଧି ଶେଷ ହେବାପରେ ଜେଲ ଯାଇଛନ୍ତି ଅରବିନ୍ଦ କେଜ୍ରିୱାଲ

ଇଡି ରିମାଣ୍ଡ ଅବଧି ଶେଷ ହେବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯାଇଛନ୍ତି। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହେପାଜତରେ ଥିବା ବେଳେ ଆଜି ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଯାହାପରେ ରାଉଜ ଆଭେନ୍ୟୁ କୋର୍ଟରୁ କେଜ୍ରିୱାଲଙ୍କୁ ତିହାର ଜେଲ ନିଆଯାଇଛି।

ସେପଟେ ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲ୍‌କୁ ନେବା ପୂର୍ବରୁ ପତ୍ନୀ ସୁନୀତା କେଜ୍ରିୱାଲ ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶୀ ଏବଂ ସୌରଭ ଭରଦ୍ୱାଜଙ୍କ ସହିତ ଭେଟ କରାଇ ଦେବାକୁ କୋର୍ଟ ଅନୁମତି ଦେଇଛନ୍ତି।

ରିମାଣ୍ଡ ଅବଧି ଶେଷ ହେବା ପରେ ଇଡି ଆଜି କେଜ୍ରିୱାଲଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। ଇଡି ତାଙ୍କର‌ ରିମାଣ୍ଡ ପରିବର୍ତ୍ତେ ବିଚାର ବିଭାଗୀୟ ହାଜତ ପାଇଁ ଆବେଦନ କରିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଦନ୍ତରେ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରିଥିଲା ଇଡି। କେନ୍ଦ୍ରୀୟ ସଂସ୍ଥାର ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ଜଜ୍ କାବେରୀ ବୱେଜା କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ପରଦିନ ଟ୍ରାଏଲ୍ କୋର୍ଟ ତାଙ୍କୁ ୬ ଦିନ ପାଇଁ ଇଡି ହାଜତକୁ ପଠାଇଥିଲେ। ପୁଣି ମାର୍ଚ୍ଚ ୨୮ରେ କେଜ୍ରିୱାଲଙ୍କ ଇଡି ହାଜତ ମିଆଦ ଆଉ ୪ ଦିନ ବଢ଼ାଇଥିଲେ କୋର୍ଟ ।

Related Articles

Back to top button