ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା: ପୋଲିସ ତଦନ୍ତ ଉପରେ ସନ୍ଦେହ, ଅନ୍ତିମ ସଂସ୍କାର କରିବାକୁ ମନା କଲେ ପରିବାର

ଡେରାଡୁନ: ଉତ୍ତରାଖଣ୍ଡର ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା। ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଯୁବତୀଙ୍କ ଅନ୍ତିମ ସଂସ୍କାର କରିବାକୁ ମନା କଲେ ପରିବାର ଲୋକେ । ଅଙ୍କିତାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ପାଣିରେ ବୁଡିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ଅଛି । ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ଏହି ରିପୋର୍ଟ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି । ସେମାନେ ଏହି ପୋଷ୍ଟମର୍ଟମ ରିପୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରି ପୁନର୍ବାର ପୋଷ୍ଟମର୍ଟମ ପାଇଁ ଅଡି ବସିଛନ୍ତି । ଯେ ପର୍ଯ୍ୟନ୍ତ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ନ ଆସିଛି ସେ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି କହିଛନ୍ତି । ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି ।

ଯୁବତୀଙ୍କ ଭାଇ ଅଭିଯୋଗ କରିଛନ୍ତି, ‘‘ଅଙ୍କିତାଙ୍କୁ ପ୍ରଥମେ ମାଡ ମରା ଯାଇଥିଲା ଏବଂ ପରେ ନଦୀକୁ ଫିଙ୍ଗି ଦିଆଯାଇଥିଲା । ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକଟ କରି ସରକାର ପ୍ରମାଣ ନଷ୍ଟ କରିବାକୁ ରିସୋର୍ଟ ଭାଙ୍ଗି ଦେଇଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାସହିତ ପୁନର୍ବାର ଅଙ୍କିତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଏହି ଘଟଣାର ତୀବ୍ର ପ୍ରତିବାଦ କରି ସମଗ୍ର ଅଞ୍ଚଳରେ ପରିସ୍ଥିତ ଖୁବ୍ ଉତ୍ତେଜନାପୂର୍ଣ୍ଣ ରହିଛି । ପୁନଃ ପୋଷ୍ଟମର୍ଟମ ଦାବି କରି ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ମନା କରୁଥିବା ବେଳେ ପ୍ରଶାସନ ପକ୍ଷରୁ ପୌରି ଜିଲ୍ଲା ଶ୍ରୀନଗରର ଆଇଟିଆଇ ଘାଟରେ ଅନ୍ତିମ ସଂସ୍କାର ପାଇ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସେଠାରେ ବହୁସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଉତ୍ତରାଖଣ୍ଡ ସରକାରଙ୍କ କ୍ରମେ ଏସଆଇଟି ୧୯ ବର୍ଷୀୟା ରିସେପସନିଷ୍ଟଙ୍କ ହତ୍ୟା ମାମଲା ତଦନ୍ତ କରୁଛି । ତେବେ ତଦନ୍ତରୁ ପୋଲିସ ହାତରେ ଯୁବତୀଙ୍କ ଏକ ହ୍ବାର୍ଟ୍ସଆପ୍ ଚାର୍ଟ ଲାଗିଛି । ରିସୋର୍ଟରେ ତାଙ୍କୁ ଅତିଥିମାନଙ୍କୁ ବିଶେଷ ସେବା ଯୋଗାଇବାକୁ ବା ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରାଯାଉଥିଲା । ଏଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଅଫର କରାଯାଇଥିବା ଯୁବତୀ ନିଜର ଜଣେ ବାନ୍ଧବୀଙ୍କୁ କହିଥିଲେ । ତେବେ ସେ ପଇସା ପାଇଁ ବେଶ୍ୟାବୃତ୍ତି କରିବାରୁ ରାଜି ନ ହେବାରୁ ରିସୋର୍ଟ ମାଲିକ ତଥା ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଋଷିକେଶ ସ୍ଥିତ ପୁଲକିତ ଆର୍ଯ୍ୟଙ୍କ ରିସୋର୍ଟରେ ରିସେପସନିଷ୍ଟ ଥିବା ଅଙ୍କିତା ଭଣ୍ଡାରୀ ଗତ ୧୮ ତାରିଖରୁ ନିଖୋଜ ଥିଲେ । ଗତକାଲି ଋଷିକେଶର ଏକ କେନାଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏହି ହତ୍ୟା ଘଟଣାରେ ଏବେ ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତଙ୍କ ସମେତ ରିସୋର୍ଟ ମ୍ୟାନେଜର ଓ ସୌରଭ ଭାସ୍କର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ଗିରଫ କରାଯାଇଛି ।

Related Articles

Back to top button