
ମଣିପୁର ଭୂସ୍ଖଳନ: ୭ ଯବାନଙ୍କ ସହ ଜଣେ ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର
ଇମ୍ଫାଲ: ମଣିପୁର ନୋନୀ ଜିଲ୍ଲାରେ ହୋଇଥିବା ଭୂ-ସ୍ଖଳନରେ ୭ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି।ତା ସହ ଜଣେ ସାଧାରଣ ନାଗରିକଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ମଣିପୁର ନୋନୀ ଜିଲ୍ଲା ତୁପୁଲ ରେଳ ଷ୍ଟେସନ ନିକଟରେ ମୁତୟନ ହୋଇଥିବା ୧୦୭ ଟେରିଟୋରିଆଲ ଆର୍ମି ଭୂସ୍ଖଳନର ଶିକାର ହୋଇଥିଲେ।
ବୁଧବାର ରାତିରେ ତୁପୁଲ ୟାର୍ଡ ରେଳବାଇ କନଷ୍ଟ୍ରକସନ କ୍ୟାମ୍ପ ନିକଟରେ ଭୂସ୍ଖଳନ ହୋଇଥିଲା। ଏପର୍ଯ୍ୟନ୍ତ ଏହି ଘଟଣାରେ ଟେରିଟୋରିଆଲ୍ ଆର୍ମିର ୧୩ ଯବାନଙ୍କ ସହ ୫ ଜଣ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି।
ଭୂସ୍ଖଳନ ହେବା ଫଳରେ ଇଜେଇ ନଦୀରେ ବହୁମାତ୍ରାରେ ମାଟି ଅତଡା ପଡି ଏକ ପ୍ରାକୃତିକ ବନ୍ଧ ସୃଷ୍ଟି ହୋଇଛି। ଏହି ବନ୍ଧ ନଦୀର ପାଣକୁ ଅଟକାଇ ରଖିଛି। ପ୍ରଶାସନ ଭଯ ହେଲା ଯଦି ଏହି ବନ୍ଧ ଭାଙ୍ଗିଯାଏ ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଇଜେଇ ନଦୀର ଜଳ ପ୍ରଖର ଗତିରେ ତଳିଆ ଅଞ୍ଚଳରେ ମାଡିଯିବ। ଏଥିରେ ବହୁ ସଂଖ୍ୟାରେ ଲୋକେ ପ୍ରଭାବିତ ହେବେ। ତେଣୁ ଏହା ପୂର୍ବରୁ ସରକାର ଲୋକଙ୍କୁ ସଚେତନ କରିବା ସହ ଏହାର ନିରାକରଣ ପାଇଁ ଯୋଜନା ଜାରି ରଖିଛନ୍ତି।
ଏଥିପାଇଁ ଜିଲ୍ଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ କରାଯାଇଛି। ପିଲାମାନଙ୍କୁ ନଦୀ ପାଖକୁ ନ ଛାଡିବାକୁ ଅନୁରୋଧ କରିଛନ୍ତି ବିଭାଗୀୟ ଅଧିକାରୀ। ଏପଟେ କେମିତି ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ କରାଯିବ ସେ ନେଇ ଜିଲ୍ଲା ପ୍ରଶାସନ ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡିକ ସହ ମିଶି କାର୍ଯ୍ୟ କରୁଛି। ତେବେ ଲଗାଣ ବର୍ଷା ଯୋଗୁ ସ୍ଥିତି ଆହୁରି ବିଗିଡିପାରେ ବୋଲି ଲୋକମାନଙ୍କୁ ସତର୍କ କରାଯାଇଛି। ଏଭଳି ସ୍ଥିତି ଦେଖି ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ‘’ତୁପୁଲରେ ଭୂସ୍ଖଳନ ସ୍ଥିତି ଆକଳନ କରିବାପାଇଁ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ସହ ସର୍ଚ୍ଚ ଅପରେସନ ଜାରି ରହିଛି। ଏଥିରେ ସହଯୋଗ କରିବା ପାଇଁ ସେଠାକୁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ ପଠାଯାଇଛି।’’ ତା ସହ ଲୋକମାନଙ୍କୁ ଜାତୀୟ ରାଜପଥ ୩୭ରେ ନ ଯିବାକ ପରାମର୍ଶ ଦିଆଯାଇଛି। କାରଣ ଏହି ରାସ୍ତା ଉକ୍ତ ଅଞ୍ଚଳ ଦେଇଯାଇଥିବାରୁ ମାଟି ଅତଡା ଖସି ଅନେକ ସ୍ଥାନରେ ରାସ୍ତ ବନ୍ଦ ହୋଇଛି।
ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ସ୍ଥିତି ଉପରେ ନଜର ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହଙ୍କ ସହ ଆଲୋଚନା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଶାହ।