ଇରାନ ବିମାନରେ ବୋମା ଆତଙ୍କ: ମିଳିଲାନି ଦିଲ୍ଲୀରେ ଅବତରଣ ଅନୁମତି, ଆଲର୍ଟରେ ବାୟୁସେନା

ନୂଆଦିଲ୍ଲୀ: ଇରାନରୁ ଚୀନ୍‌ ଅଭିମୁଖେ ଉଡାଣ ଭରିଥିବା ଏକ ବିମାନରେ ବୋମା ଆତଙ୍କ । ଉକ୍ତ ବିମାନଟି ବର୍ତ୍ତମାନ ଭାରତୀୟ ବାୟୁସୀମାରେ ଉଡୁଥିବାବେଳେ, ପାଇଲଟ ଓ କ୍ର୍ୟୁ ସଦସ୍ୟଙ୍କୁ ଏପରି ସୂଚନା ମିଳିଛି । ତେବେ ସୂଚନା ମିଳିବା ପରେ ବିମାନର ପାଇଲଟ ବିମାନଟିକୁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଇବା ପାଇଁ ଦିଲ୍ଲୀ ଏଟିଏସିକୁ ଅନୁମତି ମାଗିଥିଲେ । ତେବେ ବିମାନଟି ଦିଲ୍ଲୀ ଆକାଶରେ କିଛି ସମୟ ହୋଲ୍ଡରେ ରହିବା ପରେ ସୁରକ୍ଷା କାରଣରୁ ଅନୁମତି ଦେଇନଥିଲେ ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ । ପରେ ବିମାଟି ଚୀନ ଅଭିମୁଖେ ଉଡାଣ ଜାରି ରଖିଛି ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉକ୍ତ ବିମାନଟି ବର୍ତ୍ତମାନ ସୁଦ୍ଧା ମଧ୍ୟ ଭାରତୀୟ ବାୟୁସୀମାରେ ହିଁ ଉଡୁଛି । ଚୀନରେ ନିର୍ଦ୍ଧାରିତ ସମୟରେ ଅବତରଣ ପାଇଁ ଆଉ ୨ ଘଣ୍ଚା ସମୟ ଲାଗିବ। ତେଣୁ ସମ୍ଭାବ୍ୟ ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଛି । ଲଢୁଆ ବିମାନ ସୁଖୋଇ-୩୦କୁ ନିୟୋଜିତ କରାଯାଇଛି । ପଞ୍ଜାବ ଓ ଯୋଧପୁରରୁ ଦୁଇଟି ସୁଖୋଇ ଜେଟ୍‌ ବିମାନର ଗିତିବିଧି ଉପରେ ନଜର ରଖିବା ପାଇଁ ଉଡାଣ ଭରିଛନ୍ତି ।

ବିମାନରେ ବୋମାଥିବା ସୂଚନା ଫୋନ୍‌ ଯୋଗେଁ ବିମାନର ପାଇଲଟଙ୍କୁ ମିଳିଛି । ବୋମାଥିବା ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଅନ୍ୟପଟେ ବିମାନରେ କେତେଯାତ୍ରୀ ଓ ବିମାନ କର୍ମଚାରୀ ଥିଲେ ତାହା ମଧ୍ୟ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଦିଲ୍ଲୀରେ ଅବତରଣ ଅନୁମତି ନପାଇବା ପରେ ବିମାନଟି ସିଧା ନିଜର ଧାର୍ଯ୍ୟ ଅବତରଣ ସ୍ଥାନ ଚୀନ ଅଭିମୁଖେ ଉଡାଣ ଜାରି ରଖିଛି । ଭାରତୀୟ ବାୟୁସୀମାରୁ ବାହାରିବା ପାଇଁ ବିମାନଟିକୁ ଆଉ କିଛି ସମୟ ଲାଗିବା ନେଇ ଅନୁମାନ କରାଯାଉଛି ।

Related Articles

Back to top button