ପୁରୁଣା ଅଟ୍ଟାଳିକା ଭଙ୍ଗାବେଳେ ଅଘଟଣ: ଜଣେ ଶ୍ରମିକ ମୃତ, ଫସିଛନ୍ତି ଏକାଧିକ

ଚଣ୍ଡିଗଡ: ଗୁରୁଗ୍ରାମରେ ଏକ ପୁରୁଣା ବହୁତଳ ଅଟ୍ଟାଳିକା ଭଙ୍ଗା ଯାଉଥିବାବେଳେ ଅଘଟଣ । ଭଙ୍ଗାଯିବାବେଳେ ବିଲ୍ଡିଂଟି ଭୁଶୁଡି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିସହ ଏବେବି ଏକାଧିକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ରେସ୍କ୍ୟୁ ଅପରେସନରେ ଉଦ୍ଧାରକାରୀ ଟିମ ସହ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ସାମିଲ ହୋଇଛନ୍ତି ।

ଗୁରୁଗ୍ରାମ ଡିସିପି ଦୀପକ ପ୍ରଧାନ ଘଟଣା ସଂପର୍କରେ ସୂଚନା ଦେଇ କହିଛନ୍ତି, “କୋଠାଟିକୁ ଭଙ୍ଗା କାର୍ଯ୍ୟ ଜାରି ରହିଥିବା ବେଳେ ଏହି ଅଘଟଣଟି ଘଟିଛି । ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଛି ଓ ୩ ଜଣ ଶ୍ରମିକ ଫସି ଯାଇଥିଲାବେଳେ, ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଫସି ରହିଥିବା ୨ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଏକାଧିକ ଟିମ ଲାଗିଛନ୍ତି ।”

ଏହି ପୁରୁଣା ଅଟ୍ଟାଳିକାଟି ଅସୁରକ୍ଷିତ ଘୋଷିତ ହୋଇଥିଲା । ମହାନଗର ନିଗମ ନିର୍ଦ୍ଦେଶ କ୍ରମେ ଏହାକୁ ଭଙ୍ଗାଯିବା ନେଇ ସେପ୍ଟେମ୍ବର ୨୬ରୁ ପ୍ରକ୍ରିୟା ଜାରି ରହିଥିଲା । ଅଟ୍ଟାଳିକାର କିଛି ଅଂଶ ସଫଳତାର ସହ ଭଙ୍ଗା ସରିଥିବାବେଳେ, ଆଜି ଭଙ୍ଗା କାର୍ଯ୍ୟ ସମୟରେ ଅବଶିଷ୍ଟ ଅଂଶ ଭୁଶୁଡି ପଡିଥିଲା । ଭଙ୍ଗା କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଶ୍ରମିକ ଭଗ୍ନାବଶେଷ ତଳେ ଫସି ଯାଇଥିଲେ । ଅଘଟଣ ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳର ଉଚ୍ଚ ପ୍ରଶିକ୍ଷିତ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବେ ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଛି ।

Related Articles

Back to top button