
ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପାଞ୍ଚ ବର୍ଷ ପାଇଁ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ଦେଶବିରୋଧୀ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବାରୁ କେନ୍ଦ୍ର ସରକାର ଏହି ସଂସ୍ଥା ଉପରେ ବ୍ୟାନ ଲଗାଇଛନ୍ତି । ସେବା ମନୋଭାବ ନେଇ କାର୍ଯ୍ୟ କରୁଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଭିତରେ ଦେଶ ବିଭାଜନ ପାଇଁ କାର୍ଯ୍ୟ କରୁଥିବା ଏନଆଇଏ, ଇଡି ପ୍ରମାଣ ପାଇଥିବାରୁ ଏହି ସଂସ୍ଥା ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିବା ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଦେଶବାସୀଙ୍କ ଧନଜୀବନ ନଷ୍ଟ କରିବା, ଆତଙ୍କବାଦୀଙ୍କ ସହ ଜଡିତ ରହି ହିଂସା ସୃଷ୍ଟି କରିବା ବିଦେଶରୁ ଫଣ୍ଡ ଆଣି ଦେଶରେ ଅରାଜକତା ସୃଷ୍ଟି କରୁଥିବାରୁ ଏହି ବ୍ୟାନ ଲଗାଯାଇଛି । ବିଜ୍ଞପ୍ତିରେ ଆଉ ମଧ୍ୟ କୁହାଯାଇଛି ଯେ ପିଏଫଆଇ ନିଜର ଏଜେଣ୍ଡା ଅନୁସାରେ ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି । ଦେଶରେ ଶାନ୍ତି ଭଂଗ କରୁଥିବାର ଏବଂ ବିଦେଶରୁ ଟଙ୍କା ଆଣି ଦେଶରେ ହିଂସାତ୍ମକ କାର୍ଯ୍ୟ କରୁଥିବା ପ୍ରମାଣ ମିଳିଛି ।
ସରକାରୀ ବିଜ୍ଞପ୍ତିରେ ଆଉ ମଧ୍ୟ କୁହାଯାଇଛି ଯେ ପୂର୍ବରୁ ବ୍ୟାନ ହୋଇଥିବା ସିମିର କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇ ଦେଶବିରୋଧୀ କାର୍ଯ୍ୟ କରୁଛନ୍ତି । ଅନେକ ବିଦେଶୀ ଆନ୍ତକବାଦୀ ସଂସ୍ଥା ସହ ସଂପର୍କ ରଖିଛି ପିଏଫଆଇ । ପିଏଫଆଇର କାର୍ଯ୍ୟକର୍ତ୍ତା ବିଦେଶରେ ପରିଚାଳିତ ଆତଙ୍କବାଦୀଙ୍କଠାରୁ ଟ୍ରେନିଂ ନେଉଛନ୍ତି । 15ଟି ରାଜ୍ୟର 93ଟି ସ୍ଥାନରେ ଏନଏଆଇ ଚଢ଼ାଉ କରି 100ରୁ ଉର୍ଦ୍ଧ୍ବ ଏହାର ସଦସ୍ୟଙ୍କୁ ଗିରଫ କରିଛି । ତେଲେଙ୍ଗାନା, ଦିଲ୍ଲୀ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ରାଜସ୍ଥାନ, ହାଇଦ୍ରାବାଦ, ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୋଆ, ପଶ୍ଚିମବଂଗ, ବିହାର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଏନଆଇଏ, ଇଡି ଏବଂ ରାଜ୍ୟ ପୋଲିସ । 2006ରୁ ପିଏଫଆଇ କେରଳରୁ ତାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଭିନ୍ନ ରାଜ୍ୟରେ ଏହାର କାର୍ଯ୍ୟକର୍ତ୍ତା ରହିଛନ୍ତି ।