ମନ୍ଦିରରେ ମୂର୍ତ୍ତି ଛୁଇଁବାରୁ କର୍ଣ୍ଣାଟକର ଦଳିତ ପରିବାରକୁ ୬୦,୦୦୦ ଟଙ୍କା ଜରିମାନା

ବେଙ୍ଗାଲୁରୁ: ଦେଶରେ ଏବେ ବି ଚାଲିଛି ଜାତି-ପ୍ରଥାକୁ ନେଇ ଭେଦଭାବ। ଆଧୁନିକ ଯୁଗରେ ଶିକ୍ଷାର ବିକାଶ ହେଉଛି ସତ, କିନ୍ତୁ ଛୁଆଁ-ଅଛୁଆଁ ଭେଦଭାବ ଦୂର ହୋଇନାହିଁ। ଦଳିତ ବର୍ଗର ଲୋକେ ଏବେ ବି ସହୁଛନ୍ତି ନିର୍ଯାତନା। ଏହାର ଏକ ଉଦାହରଣ କର୍ଣ୍ଣାଟକର କୋପ୍ପଲ ଜିଲ୍ଲାସ୍ଥିତ ହୁଲ୍ଲେରହଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି। ଏଠାରେ ଏକ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତିକୁ ଦଳିତ ବାଳକ ସ୍ପର୍ଶ କରିବାରୁ କରାଗଲା ୬୦,୦୦୦ ଟଙ୍କାର ଜରିମାନା।

ସୂଚନା ଅନୁସାରେ, ହୁଲ୍ଲେରହଲ୍ଲୀ ଗ୍ରାମରେ ଏକ ଶୋଭାଯାତ୍ରା ହେବାକୁ ଯାଉଥିଲା। ଯେଉଁ ଶୋଭାଯାତ୍ରାରେ ଦଳିତ ପରିବାରଙ୍କ ପ୍ରବେଶ ବାରଣ ଥିଲା। ଏହି ସମୟରେ ଏକ ଦଳିତ ପରିବାରର ପିଲା ସେଠାରେ ଥିବା ମୂର୍ତ୍ତିକୁ ଛୁଇଁଲା ଏବଂ ପରେ ମୂର୍ତ୍ତିକୁ ଉଠାଇବାକୁ ମଧ୍ୟ ଚେଷ୍ଟା କରିଥିଲା। ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହି ଦୃଶ୍ୟ ଦେଖି ଅତ୍ୟନ୍ତ କ୍ରୋଧିତ ହେଲେ। ସେଠାରେ ଉପସ୍ଥିତ ଥିବା ଲୋକେ ବାଳକକୁ ସେହିସ୍ଥାନରୁ ଘଉଡାଇ ଦେଇଥିଲେ। ଏହି ମୂର୍ତ୍ତିଟି ଏକ ପର୍ବ ପାଇଁ ନିର୍ମାଣ କରାଯାଇଥିଲା। ଗ୍ରାମବାସୀଙ୍କ ମତରେ ମୂର୍ତ୍ତିତକୁ ଦଳିତ ବାଳକ ଛୁଇଁବାରୁ ମୂର୍ତ୍ତିଟି ଅଛୁଆଁ ହୋଇଗଲା।

ଦଳିତ ପରିବାରକୁ ଦଣ୍ଡ ଦେବା ପାଇଁ ସ୍ଥାନୀୟ ପଞ୍ଚାୟତରେ ଏହି ଘଟଣାର ବିଚାର କରାଗଲା। ଗାଁରେ ଥିବା ପ୍ରଥା ପରମ୍ପରାକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ ପଞ୍ଚାୟତ ଦ୍ୱାରା ଦଳିତ ପରିବାରକୁ ଷାଠିଏ ହଜାର ଟଙ୍କା ଜୋରିମାନା କରାଗଲା। ଏକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଜରିମାନା ଆଦାୟ ନହେବା ପର୍ଯ୍ୟନ୍ତ ସେମାନେ ଗାଁରେ ପ୍ରବେଶ କରିପାରିବେ ନାହିଁ। ଏହା ମଧ୍ୟ କୁହାଯାଉଛି ଯେ କିଛି ଲୋକ ଫୋନ ଯୋଗେ ଦଳିତ ପରିବାରକୁ ଧମକ ମଧ୍ୟ ଦେଇଛନ୍ତି। ତେବେ ଏହି ପ୍ରସଙ୍ଗରେ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ କିମ୍ବା ସେମାନଙ୍କଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Related Articles

Back to top button