କେଜ୍ରିଓ୍ୱାଲଙ୍କ ସିଙ୍ଗାପୁର ଗସ୍ତକୁ ଅନୁମତି ଦେଲେନି ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସିଙ୍ଗାପୁର ଗସ୍ତ ବାତିଲ କରିବାକୁ ପଡିପାରେ। କାରଣ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ.ସକ୍ସେନା ତାଙ୍କୁ ଅନୁମତି ଦେଇନାହାନ୍ତି। ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ି ରହିଥିବା ଏହି ଫାଇଲକୁ ଏବେ ଉପରାଜ୍ୟପାଳ ଫେରାଇ ଦେଇଛନ୍ତି। ସିଙ୍ଗାପୁର ସମ୍ମିଳନୀରେ ମେୟରମାନେ ଯୋଗଦେବେ। ମୁଖ୍ୟମନ୍ତ୍ରୀମାନେ ଏଥିରେ ଯୋଗ ଦେଉନାହାନ୍ତି ବୋଲି ଦର୍ଶାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ।

ଆସନ୍ତା ମାସରେ ହେବାକୁ ଥିବା ଏହି ସମ୍ମିଳନୀ ମେୟରଙ୍କ ସମ୍ମିଳନୀ ହୋଇଥିବାରୁ ଜଣେ ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେବା ଠିକ୍ ହେବ ନାହିଁ ବୋଲି ସକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପରାମର୍ଶ ଦେଇଛନ୍ତି। କେଜ୍ରିଓ୍ୱାଲଙ୍କ ବିଦେଶ ଗସ୍ତ ପାଇଁ ପ୍ରସ୍ତାବ ଦେଇଥିବା ସକ୍ସେନା ଉଲ୍ଲେଖ କରିଛନ୍ତି ଯେ ଏହି ସମ୍ମିଳନୀରେ ସହରାଞ୍ଚଳ ଶାସନର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ, ଯାହା ଦିଲ୍ଲୀ ନଗର ନିଗମ, ଦିଲ୍ଲୀ ବିକାଶ ପ୍ରାଧିକରଣ ଏବଂ ନୂଆଦିଲ୍ଲୀ ନଗର ପରିଷଦ ସହିତ ଯୋଡି ହେବ।

ତେବେ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କ ଯୁକ୍ତିକୁ ଖଣ୍ଡନ କରି କହିଛନ୍ତି ଯେ ଏହା ମେୟରଙ୍କ ସମ୍ମିଳନୀ ନୁହେଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସିଙ୍ଗାପୁର ସରକାର ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ପୂର୍ବରୁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ସମ୍ମିଳନୀରେ ଯୋଗ ଦେଇ ସାରିଛନ୍ତି। ଅନୁମତି ନଦେବା ଶସ୍ତା ରାଜନୀତି ଛଡା ଆଉ କିଛି ନୁହେଁ। ରାଜନୈତିକ କ୍ଲିୟରାନ୍ସ ପାଇଁ ଦିଲ୍ଲୀ ସରକାର ଏବେ ସିଧାସଳଖ ବୈଦେଶିକ ମନ୍ତ୍ରାଳୟର ଦ୍ୱାରସ୍ଥ ହେବ ବୋଲି ସେ ଏହି ଅବସରରେ କହିଛନ୍ତି। ତାଙ୍କର ଅନୁରୋଧକୁ ମନ୍ତ୍ରାଳୟ ଗ୍ରହଣ କରିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଆଶା ରଖିଥିବା କହିଛନ୍ତି।

ଏହି ପ୍ରକ୍ରିୟା ଅନୁୟାୟୀ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବିତ ଗସ୍ତ ପାଇଁ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କଠାରୁ ଅନୁମତି ମାଗିଥିଲେ। ଗତ 7 ତାରିଖରେ ଏହି ଫାଇଲ୍ ଉପରାଜ୍ୟପାଳଙ୍କ ଅଫିସକୁ ପଠାଯାଇଥିଲା। ଫାଇଲ୍ କ୍ଲିୟରାନ୍ସ ପାଇଁ ଅପେକ୍ଷା କରିଥିବା କେଜ୍ରିଓ୍ୱାଲ ଜୁଲାଇ 17ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ସିଙ୍ଗାପୁର ସମ୍ମିଳନୀରେ ଯୋଗ ଦେବାକୁ ଅନୁମତି ମାଗିଥିଲେ।

Related Articles

Back to top button