ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣି’ଛନ୍ତି କି
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦୀ କା ଅମୃତ ମହତ୍ସୋବ । ୧୯୪୭ ଅଗଷ୍ଟ ୧୫ରେ ଭାରତ, ଇଂରେଜ ଅଧୀନରୁ ମୁକ୍ତ ହୋଇ ସ୍ୱାଧୀନ ହୋଇଥିଲା । ସ୍ୱାଧୀନତା ପରେ ଏହି ଦିନକୁ ସ୍ୱତନ୍ତ୍ରତା ଦିବସ ରୂପେ ପାଳନ କରାଯାଉଛି । ଦେଶରେ ଧୁମଧାମରେ ଅଗଷ୍ଟ ୧୫ ସହ ଜାନୁଆରୀ ୨୬ ପାଳନ କରାଯାଉଥିବା ଏହା ମଧ୍ୟରେ ପାର୍ଥକ୍ୟ ରହିଛି ।
ଅଗଷ୍ଟ ୧୫ ତାରିଖ ୧୯୪୭ରେ ଦେଶ ବ୍ରିଟିଶ କବଳରୁ ମୁକ୍ତ ହୋଇଥିଲା । ସେହିଭଳି ଦେଶ ସ୍ୱାଧୀନତାର ୩ ବର୍ଷ ପରେ ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସମ୍ବିଧାନ କାର୍ଯ୍ୟକାରୀ ହେବା ସହ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଥିଲା ।
ଯଦିଓ ଅଗଷ୍ଟ ୧୫ ଓ ଜାନୁଆରୀ ୨୬କୁ ରାଷ୍ଟ୍ରୀୟ ପର୍ବ ଭାବେ ପାଳନ କରାଯାଉଛି ତଥାପି ଏଥିରେ ପ୍ରଭେଦ ରହିଛି । ୧୫ ଅଗଷ୍ଟ ଓ ୨୬ ଜାନୁଆରୀ ପୂରା ଦେଶରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ହୁଏ । ସ୍ୱାଧୀନତା ଦିବସରେ ଜାତୀୟ ପତାକାକୁ ତଳୁ ରସିରେ ଉପରକୁ ନିଆଯାଇ ଉତ୍ତୋଳନ କରାଯାଏ । କିନ୍ତୁ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ତ୍ରିରଙ୍ଗା ଉପରେ ହିଁ ବନ୍ଧା ହୋଇଥାଏ । ତ୍ରିରଙ୍ଗାକୁ ରଶି ସାହାଯ୍ୟରେ ଖୋଲି ଉତ୍ତୋଳନ କରାଯାଏ ।
ଅଗଷ୍ଟ ୧୫ରେ ଦେଶର ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିଥାନ୍ତି । ଦେଶ ସ୍ୱାଧୀନ ହେବା ବେଳେ ସମ୍ବିଧାନ ଲାଗୁ ହୋଇ ନଥିବା ବେଳେ ଦେଶର ନେତୃତ୍ୱ ପ୍ରଧାନମନ୍ତ୍ରୀଙ୍କ ହାତରେ ଥିଲା । ସେବେଠୁ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବା ପରମ୍ପରା ରହି ଆସିଛି ।
ଜାନୁଆରୀ ୨୬ରେ ସମ୍ବାଧାନ କାର୍ଯ୍ୟକାରୀ ହୋଇଥିଲା । ସମ୍ବିଧାନ ଅନୁସାରେ, ଦେଶର ସାମ୍ବିଧାନିକ ପ୍ରମୁଖ ହେଉଛନ୍ତି ରାଷ୍ଟ୍ରପତି । ଏଥିପାଇଁ ଜାନୁଆରୀ ୨୬ରେ ରାଷ୍ଟ୍ରପତି ତ୍ରିରଙ୍ଗା ଉତ୍ତୋଳନ କରିଥାନ୍ତି । ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଦେଶବାସୀଙ୍କ ସମ୍ବୋଧିତ ମଧ୍ୟ କରିଥାନ୍ତି । ଏହାଛଡ଼ା ଅଗଷ୍ଟ ୧୫ ଓ ଜାନୁଆରୀ ୨୬ରେ ଜାତୀୟ ପତାକା ଉତ୍ତୋଳନ ସ୍ଥାନ ଅଲଗା ଅଲଗା ହୋଇଥାଏ । ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରୁଥିବା ବେଳେ ୨୬ ଜାନୁଆରୀରେ ରାଷ୍ଟ୍ରପତି ଦିଲ୍ଲୀ ରାଜପଥରେ ପତାକା ଉତ୍ତୋଳନ କରିଥାନ୍ତି ।