+୪୪’ ଆଇଏସଡି କୋଡ ଥିବା ଇଣ୍ଟରନ୍ୟାସନାଲ କଲକୁ ରିସିଭ୍ ନ କରିବାକୁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ସର୍ବଦା ଭାରତରେ ଅରାଜକତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ରହିଥାଏ । ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଚାଲାଣ ହେଉ କି ଡ୍ରୋନ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବା ହେଉ ସବୁଠି ପାକିସ୍ତାନର ଲିଙ୍କ ମିଳିଛି । ତେବେ ଆସନ୍ତା ୨୧ରୁ ୨୪ ତାରିଖ ମଧ୍ୟରେ ଜମ୍ମୁ କଶ୍ମୀରରେ ଜ-୨୦ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏହାପୂର୍ବରୁ ପାକିସ୍ତାନ ଲିଙ୍କ ନେଇ ମିଳିଛି ଏକ ବଡ଼ ତଥ୍ୟ ।

ଜି-୨୦ ବିଶ୍ୱର ୨୦ଟି ବଡ଼ ଅର୍ଥବ୍ୟବସ୍ଥା ବିଶିଷ୍ଟ ରାଷ୍ଟ୍ରର ଏକ ସମ୍ମିଳନୀ ହୋଇଥିବା ବେଳେ ଏଥିରେ ପାଖାପାଖି ୧୦୦ ଜଣ ପ୍ରତିନିଧି ଉପସ୍ଥିତ ରହିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭାରତୀୟମାନେ ‘+୪୪’ ଆଇଏସଡି କୋଡ ଥିବା ଇଣ୍ଟରନ୍ୟାସନାଲ କଲକୁ ରିସିଭ୍ ନ କରିବାକୁ କୁହାଯାଇଛି । ଏହାକୁ ନେଇ ପୋଲିସ ପକ୍ଷରୁ ଏକ ଆଡଭାଇଜାରୀ ଜାରି କରାଯାଇଛି ।

‘+୪୪’ ଆଇଏସଡି କଲ୍ ଆସିଲେ ତାହାକୁ ରିସିଭ୍ ନ କରିବାକୁ ଜମ୍ମୁ କଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ନିଜେ ଅନୁରୋଧ କରିଛନ୍ତି । ଜି-୨୦ ବୈଠକକୁ ସଫଳ କରିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହିତ ଏନଏସଜି କମାଣ୍ଡୋ ଓ ସେନାର ଯବାନ ମଧ୍ୟ ବୈଠକ ସ୍ଥଳ ନିକଟରେ ପଇଁତରା ମାରିବେ । ଭାରତରେ ଆସୁଥିବା ଏପରି ୩ଟି ‘+୪୪’ କୋଡ ଯୁକ୍ତ ଆଇଏସଡି ନମ୍ବରକୁ ଦେଶର ଗୁଇନ୍ଦା ସଂସ୍ଥା ପକ୍ଷରୁ ଟ୍ରେସ କରାଯାଇଛି । ଏହି ନମ୍ବରକୁ ରିସିଭ୍ କରିବା ଫଳରେ ଲୋକଙ୍କ ମନରେ ଧର୍ମ ବିଦ୍ୱେଷ ଭାବନା ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଶେଷ କରି ଜମ୍ମୁ କଶ୍ମୀର ପରି ସମ୍ବେଦନଶୀଳ ଅଞ୍ଚଳରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ହୋଇପାରେ ।

Related Articles

Back to top button