ଏଣିକି ଡ୍ରୋନ୍‌ ସହ ଉଡ଼ିବ ମଣିଷ, ବିକଶିତ କଲା ପୁନେର ଡିଫେନ୍ସ କମ୍ପାନୀ

ଏହି ଡ୍ରୋନ୍‌ର ନାମ ବରୁଣ ରଖାଯାଇଛି, ୧୩୦ କେଜି ଓଜନ ସହ ଏହି ଡ୍ରୋନ୍‌ ୩୫ କିମି ଯାଏଁ ଉଡ଼ି ପାରିବ

ମୁମ୍ବାଇ: ଏଣିକି ଡ୍ରୋନ୍‌ ସହ ଉଡ଼ିବ ମଣିଷ । ଏଭଳି ଏକ ଡ୍ରୋନ୍‌ ବିକଶିତ କରି ଚର୍ଚ୍ଚାରେ ରହିଛି ପୁନେସ୍ଥିତ ଏକ ଡିଫେନ୍ସ କମ୍ପାନୀ । ଏହି ଡ୍ରୋନ୍‌ର ନାମ ବରୁଣ ରଖାଯାଇଛି । ୧୩୦ କେଜି ଓଜନ ସହ ଏହି ଡ୍ରୋନ୍‌ ୩୫ କିମି ଯାଏଁ ଉଡ଼ି ପାରିବ । ଏହି ଡ୍ରୋନ୍‌ ବିକଶିତ କରିବା ପାଇଁ ୪ ବର୍ଷରୁ ଅଧିକ ସମୟ ଲାଗିଛି । ଭାରତୀୟ ସେନା ପାଇଁ ଏହି ଡ୍ରୋନ୍‌ ବିକଶିତ ହୋଇଛି ।

ଦୂରଦୂରାନ୍ତ ଗନ୍ତବ୍ୟ ଅଞ୍ଚଳକୁ ଏୟାର ଆମ୍ବୁଲାନ୍ସ ବା ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ନେବା ଆଣିବା କରିବା ଉଦ୍ଦେଶ୍ୟରେ ଏହି ଡ୍ରୋନ୍‌ ସହାୟକ ହୋଇ ପାରିବ । ଖାଲି ସେତିକି ନୁହେଁ ଡ୍ରୋନ୍‌ ଉଡ଼ିବା ବେଳେ ବୌଷୟିକ ତ୍ରୁଟି ଆସିଲେ ସୁରକ୍ଷିତ ଭାବରେ ଲ୍ୟାଣ୍ଡିଂ କରିବା କ୍ଷମତା ରହିଛି । ଖୁବଶୀଘ୍ର ଏହି ଡ୍ରୋନ୍‌ ଭାରତୀୟ ସେନାରେ ସାମିଲ ହେବ ବୋଲି ଆଶା କରାଯାଉଛି । ନିକଟରେ ବରୁଣର ଡେମୋ ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବ ବୋଲି ଆଶା କରାଯାଉଛି । ଏହି ଡ୍ରୋନ୍‌ର ସଫଳ ପରୀକ୍ଷଣ ମଧ୍ୟ ଶେଷ ହୋଇ ସାରିଛି ।

ଉଭୟ ତରଳ ଓ କଠିନ ବସ୍ତୁ ନେବା ଆଣିବା କରି ପାରିବ ବରୁଣ ଡ୍ରୋନ୍‌ । ଏକ ରିମୋଟ ମାଧ୍ୟମରେ ଏହି ଡ୍ରୋନ୍‌କୁ ପରିଚାଳନା କରିହେବ । ସହଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଇ ହେବ । ତା ସହିତ ଏହା ସ୍ବଚାଳିତ ଭାବରେ ମଧ୍ୟ ପରିଚାଳନା ହୋଇ ପାରିବ । ବରୁଣ ଥରେ ଉଡ଼ାଣ ଭରିଲେ ୨୫ରୁ ୩୩ କିମି ଯାଏଁ ଉଡ଼ାଣ ଭରି ପାରିବ । ମାତ୍ର ୩୦ ମିନିଟ୍‌ରେ ଏହା ୨୫ କିମି ଅତିକ୍ରମ କରିବ ।

ଏହାକୁ ନେଇ ସାଗର ଡିଫେନ୍ସ କମ୍ପାନୀର ସହ ପ୍ରତିଷ୍ଠାତା କହିଛନ୍ତି ଯେ, “ଭାରତରେ ପ୍ରଥମ ଥର ପାଇଁ ବରୁଣ ଭଳି ଡ୍ରୋନ୍‌ ବିକଶିତ ହୋଇଛି । ଏହି ଡ୍ରୋନ୍‌ରେ ମଣିଷ ମଧ୍ୟ ଉଡ଼ି ପାରିବ । ଏହାକୁ ବିକଶିତ କରିବାକୁ ଆମକୁ ୪ ବର୍ଷ ସମୟ ଲାଗିଥିଲା । ଚାଲୁଥିବା ଯାହାଜରୁ ଏହି ଡ୍ରୋନ୍‌ ୧୩୦ କେଜି ଓଜନର ଜିନିଷ ଆଣି ପାରିବ । ଦୁର୍ଗମ ଅଞ୍ଚଳରେ ଏହାକୁ ଏୟାର ଆମ୍ବୁଲାନ୍ସ ଭାବରେ ବ୍ୟବହାର କରିହେବ । ଆଗାମୀ ଦିନରେ ଏହାକୁ ଟାକ୍ସି ଭଳି ମଧ୍ୟ ବ୍ୟବହାର କରାଯାଇ ପାରିବ । “

Related Articles

Back to top button