ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ଶ୍ରମିକଙ୍କୁ ମିଳୁଛି ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା

ନୂଆଦିଲ୍ଲୀ:  ଗତ ମାର୍ଚ୍ଚ ମାସ ୧୪ ତାରିଖ ସୁଦ୍ଧା ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ମୋଟ ୨୮.୬୬ କୋଟି ଲୋକ ଯୋଡ଼ି ହୋଇଥିଲେ । ଏନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୂଚନା ଦେଇଥିଲେ । ୨୦୨୧ ମସିହା ଅଗଷ୍ଟ ମାସ ୨୬ ତାରିଖରେ କେନ୍ଦ୍ର ସରକାର ଏହି ପୋର୍ଟାଲର ଶୁଭାରମ୍ଭ କରିଥିଲେ ।

ଏହି ପୋର୍ଟାଲରେ ପଞ୍ଜିକୃତ ହେବା ପରେ ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସୁବିଧା ପ୍ରଦାନ କରାଯାଇଥାଏ । ଏହି ଯୋଜନାରେ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ପ୍ରଦାନ କରାଯାଇଥାଏ । ଏଥିସହିତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ) ବୀମା ସୁବିଧା ପ୍ରଦାନ କରାଯାଇଥାଏ । ଏହି ଯୋଜନାରେ ଶ୍ରମିକଙ୍କୁ କୌଣସି ବୀମା ପାଇଁ ପ୍ରିମିୟମ ଦେବାକୁ ପଡ଼ିନଥାଏ । ଯଦି କୌଣସି ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୁଏ ବା ସେ ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ପାଲଟି ଯାଆନ୍ତି, ତେବେ ତାଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ । ଆଂଶିକ ଭାବେ ଦିବ୍ୟାଙ୍ଗ ହେଲେ ଉକ୍ତ ଶ୍ରମିକଙ୍କୁ ୧ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ ।

ଇ-ଶ୍ରମ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ପାଇଁ ହେଲେ ଆଧାର କାର୍ଡ ସହିତ ମୋବାଇଲ ନମ୍ବର ସଂଯୋଗ ହୋଇଥିବା ଆବଶ୍ୟକ । ଯାହାର ମୋବାଇଲ ନମ୍ବର ଆଧାର ଲିଙ୍କ ହୋଇନଥିବ, ସେ ନିକଟସ୍ଥ ସିଏସସି କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ । ଯଦି ଜଣେ ପିଏମ କିଷାନ ଯୋଜନାର ଲାଭାର୍ଥୀ ହୋଇଥିବେ ତେବେ ତାଙ୍କୁ ଇ-ଶ୍ରମ ସ୍କିମରେ ଅର୍ଥ ମିଳିବ ନାହିଁ । ୧୬ରୁ ୫୯ ବର୍ଷ ବୟସର ଅସଂଗଠିତ କ୍ଷେତ୍ରର ଲୋକମାନେ ଇ-ଶ୍ରମରେ ରେଜିଷ୍ଟ୍ରେସନ କରିପାରିବେ ।

Related Articles

Back to top button