୫ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ

୫ ରାଜ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ୫ ରାଜ୍ୟ ଯଥା ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ କହିଛନ୍ତି ଯେ କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଅନ୍ୟ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୭ରେ ମିଜୋରାମରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ରେ ଭୋଟ ଗ୍ରହଣ କରାଯିବ। ସେହିପରି ମଧ୍ୟ ପ୍ରଦେଶରେ ନଭେମ୍ବର ୧୭ରେ ଭୋଟ ଗ୍ରହଣ କରଯିବାକୁ ଥିବାବେଳେ ରାଜସ୍ଥାନରେ ନଭେମ୍ବର ୨୩ରେ ନିର୍ବାଚନ ଅନୁଷ୍ଠିତ ହେବ। ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ ଗ୍ରହଣ କରାଯିବ। ଡିସେମ୍ବର ୩ରେ ୫ ରାଜ୍ୟର ହେବ ଭୋଟ ଗଣତି କରାଯିବ ଏବଂ ଫଳାଫଳ ପ୍ରକାଶ ପାଇବ ବୋଲି କେନ୍ଦ୍ର ନିର୍ବାଚନ ମୁଖ୍ୟ ଆୟୁକ୍ତ ରାଜୀବ କୁମାର ପ୍ରକାଶ କରିଛନ୍ତି।

 

ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ମୋଟ ୬୭୯ ବିଧାନସଭା ସିଟ୍ ରହିଛି; ଯେଉଁଥିରେ ୧୬.୧୪ କୋଟି ଭୋଟର ରହିଛନ୍ତି। ସେଥିମଧ୍ୟରୁ ୫ଟି ରାଜ୍ୟରେ ମୋଟ ୮.୨ କୋଟି ପୁରୁଷ ଭୋଟର ଥିବାବେଳେ, ୭.୮ କୋଟି ମହିଳା ଭୋଟର ଅଛନ୍ତି। ଏଥର ନିର୍ବାଚନରେ ୬୦.୨ ଲକ୍ଷ ନୂଆ ଭୋଟର ସାମିଲ ହେବେ। ଏଥର ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ମୋଟ ୧.୭୭ ଲକ୍ଷ ପୋଲିଂ ବୁଥ ପ୍ରସ୍ତୁତ କରାଯିବ । ପୋଲିଂ ବୁଥ୍ ଭିତରେ ଦୂରତା ୨ କିଲୋମିଟରରୁ ଅଧିକ ରହିବ ନାହିଁ । ବରିଷ୍ଠ ଲୋକମାନେ ମଧ୍ୟ ଘରେ ବସି ଭୋଟ୍ ଦେଇପାରିବେ ବୋଲି ଭାରତୀୟ ନିର୍ବାଚନ ମୁଖ୍ୟ ଆୟୁକ୍ତ ରାଜୀବ କୁମାର ପ୍ରକାଶ କରିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ସୂଚନା ଦେଇ କହିଛନ୍ତି ଯେ ତାରିଖ ଘୋଷଣା ପୂର୍ବରୁ ୪୦ ଦିନରେ ସେ ୫ଟି ରାଜ୍ୟକୁ ଗସ୍ତ କରିଛନ୍ତି । ସେଠାରେ ସେ ରାଜନୈତିକ ଦଳମାନଙ୍କ ସହ ରାଜ୍ୟ ସରକାର ଏବଂ ସରକାରୀ ଏଜେନ୍ସିମାନଙ୍କ ସହ ଏକ ବୈଠକରେ ନିର୍ବାଚନ ନେଇ କରିଛନ୍ତି। ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୩୦ ତାରିଖ ଭିତରେ କୌଣସି ବି ଭୋଟର ନିଜ ଭୋଟର ପରିଚୟପତ୍ରରେ ସଂଶୋଧନ କରିପାରିବେ। ବିଏଲଓ କିମ୍ବା ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ଜରିଆରେ ନିଜର ପରିଚୟପତ୍ର ପରିବର୍ତ୍ତନ କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି।

Related Articles

Back to top button