ଆଜି ଉତ୍କଳ ମଣିଙ୍କ ଜନ୍ମ ଜୟନ୍ତୀ।

ଆଜି ପୁଣ୍ୟାତ୍ମା ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ୧୮୭୭ ଅକ୍ଟୋବର ୯ରେ ଜନ୍ମ ଗ୍ରହଣ କରିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ଆଜିର ଏହି ମହାନ ଦିବସରେ ମନେପଡନ୍ତି ଉତ୍କଳ ମଣି ଗୋପବନ୍ଧୁ ଦାସ । ତାଙ୍କ ବାପା ଦୈତାରୀ ଦାସ ଏବଂ ମା’ ଥିଲେ ସ୍ଵର୍ଣ୍ଣମୟୀ ଦେବୀ । ଓଡ଼ିଶାରେ ସାମାଜିକ ସଂସ୍କାର, ସାମ୍ବାଦିକତା ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଚିରସ୍ମରଣୀୟ । ରୁଢ଼ିବାଦୀ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ତାଙ୍କ ଉଦ୍ୟମ, ସାମାଜିକ ଆନ୍ଦୋଳନକୁ ତୀବ୍ର କରିବାରେ ତାଙ୍କ ଭୂମିକା, ନିସ୍ବାର୍ଥପର ସେବା ଏବଂ ଶିକ୍ଷାବ୍ୟବସ୍ଥାରେ ସୁଧାର ଆଦି ପାଇଁ ତାଙ୍କ ପ୍ରୟାସ ପାଇଁ ତାଙ୍କୁ ‘ଉତ୍କଳମଣି’ ଆଖ୍ୟା ମିଳିଥିଲା ।

ଯୋଗଜନ୍ମା ସାଧକ, ଦରିଦ୍ରର ବନ୍ଧୁ, ବନ୍ୟା, ଦୁର୍ଭିକ୍ଷ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅସହାୟ ଭାବେ ମୃତ୍ୟୁବରଣ କରୁଥିବା ଓଡ଼ିଶାବାସୀଙ୍କ ପାଇଁ ରାହା ବନିଥିଲେ ଉତ୍କଳର ମଣି ଉତ୍କଳମଣି ଗୋପବନ୍ଧୁ ଦାସ। ସେ ‘ପୁରୀ ସେବା ସମିତି’ ନାମରେ ଏକ ସ୍ଵେଚ୍ଛାସେବୀ ସଙ୍ଗଠନ ଆରମ୍ଭ କରିଥିଲେ। ଏହା ଜରିଆରେ ସେ ହଇଜା ପୀଡ଼ିତଙ୍କୁ ସବୁପ୍ରକାର ସହାୟତା ଯୋଗାଇଥିଲେ । ଗରିବ ଅସହାୟଙ୍କ ସେବାରେ ସେ ନିଜକୁ ଏତେ ଜଡ଼ିତ କରିଥିଲେ ଯେ, ଭୟଙ୍କର ବନ୍ୟା ସମୟରେ ସେ ତାଙ୍କ ପୁଅର ଯତ୍ନକୁ ଅଣଦେଖା କରି ଲୋକଙ୍କ ନିକଟକୁ ଧାଇଁଯାଇଥିଲେ । ଗୋପବନ୍ଧୁ ଦାସ କଟକର ରେଭେନ୍ସା କଲେଜରେ ଶିକ୍ଷାଲାଭ କରିଥିଲେ ।

ପାଠପଢ଼ା ସମୟରୁ ହିଁ ସାମାଜିକକାର୍ଯ୍ୟ ପାଇଁ ସେ ଅଣ୍ଟା ଭିଡ଼ିବା ସହ ସମସ୍ତ ସାଙ୍ଗସାଥୀ ଏବଂ ସ୍ଥାନୀୟ ଲୋକଙ୍କୁ ଏଥିପାଇଁ ପ୍ରବର୍ତ୍ତାଉଥିଲେ । ସ୍ନାତକ ପରେ ସେ କାଲ୍‌କାଟା ୟୁନିଭର୍ସିଟିରୁ ଏଲ୍‌ଏଲ୍‌ କରିଥିଲେ । କଟକ ହାଇକୋର୍ଟ ଯିବା ପୂର୍ବରୁ ସେ ପୁରୀରେ ପ୍ରାକ୍ଟିସ୍‌ କରିଥିଲେ । ସେ ସ୍ବାଧୀନତା ସଂଗ୍ରାମରେ ମଧ୍ୟ ସାମିଲ ହୋଇଥିଲେ । ସେ ବନ୍ଦେ ମାତରମ ଗ୍ରୁପ୍ ସହ ଜଡ଼ିତଥିଲେ । ୧୯୨୧ ମସିହାରେ ସେ ମହାତ୍ମା ଗାନ୍ଧୀଙ୍କୁ ଓଡ଼ିଶା ଆଣି ଲୋକଙ୍କୁ ଅସହଯୋଗ ଆନ୍ଦୋଳନରେ ସାମିଲ ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ଏହି ସମୟରେ ସେ ଏକାଧ୍ଵ ଥର ଜେଲ ମଧ୍ୟ ଯାଇଛନ୍ତି । ସେ ଜଣେ ବିଶିଷ୍ଟ ଲେଖକ, କବି ମଧ୍ୟ ଥିଲେ । ଓଡ଼ିଶାରେ ଗଣମାଧ୍ୟମର ସ୍ଵାଧୀନତାରେ ତାଙ୍କ ବିଶେଷ ଅବଦାନ ରହିଛି ।

Related Articles

Back to top button